ଖୋର୍ଦ୍ଧା: ଆସୁଛି ସାଧାରଣ ନିର୍ବାଚନ 2024 । ରାଜ୍ୟ ବିଧାନସଭା ପାଇଁ ମଧ୍ୟ ଚାଲିଛି ଯୋରଦାର ପ୍ରସ୍ତୁତି । ରଣକ୍ଷେତ୍ର ପ୍ରସ୍ତୁତ। ଯୋଦ୍ଧା ବି ପ୍ରସ୍ତୁତ । ଚାଲିଛି କେଉଁ ଯୋଦ୍ଧା କେଉଁଠି ହେବେ ମୁତୟନ ତାହାର ରଣନୀତି । ତିନି ଦଳ କଂଗ୍ରେସ, ବିଜେପି ଓ ବିଜେଡିର ଆରମ୍ଭ ହୋଇଛି ପ୍ରାର୍ଥୀ ଖୋଜା । ରଣନୀତି, ପ୍ରସ୍ତୁତି ସାଂଗଠନିକ କାର୍ଯ୍ୟକ୍ରମରେ ଶାସକ ବିଜେଡି ଆଗରେ ଥିବା ବେଳେ, ଉଭୟ ବିରୋଧୀ ମଧ୍ୟ କଡା ଟକ୍କର ଦେଉଛନ୍ତି । ନିର୍ବାଚନକୁ ଆହୁରି ପାଖାପାଖି 6 ମାସ ସମୟ ଥିବା ବେଳେ ସାରା ରାଜ୍ୟରେ କିନ୍ତୁ ନିର୍ବାଚନର ହାୱା ବଢିବାରେ ଲାଗିଛି । ଯାହା ଚିଲିକା ବିଧାନସଭା ଆସନ ଯାଏଁ ପହଞ୍ଚିସାରିଛି । ଚିଲିକାକୁ ପୁଣି ଥରେ ଦଖଲ କରିବା ପାଇଁ ବିଜେଡି ନୂଆ ରଣନୀତି କଷୁଥିବା ବେଳେ, ପୂର୍ବ ଭୁଲ ସୁଧାରି ଗୈରିକ ବାନା ଉଡାଇବା ଯୋଜନାରେ ବିଜେପି । କଂଗ୍ରେସ ମଧ୍ୟ ନିଜ ପୂର୍ବ ଗୌରବ ଫେରାଇ ଆଣିବାକୁ ପୁରା ଦମରେ ମୈଦାନକୁ ଓହ୍ଲାଇଛି । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି କାହାର ହେବ ଚିଲିକା ?
ଅଧିକ ପଢନ୍ତୁ- Chhendipada Constituency: ମିଶନ ୨୪ ପାଇଁ ପାଗଭିଡା, କିଏ ହାତେଇବ ଛେଣ୍ଡିପଦା ସିଟ୍ ?
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଆଚରଣ, ଉଚ୍ଚାରଣ ଓ କାର୍ଯ୍ୟକଳାପକୁ ନେଇ ଦଳର ଅଡୁଆ ବଢିବାରୁ ପ୍ରଶାନ୍ତଙ୍କୁ ନିଲମ୍ବିତ କରିଛି ବିଜେଡି । ଏପରି ସ୍ଥିତିରେ ଆସନ୍ତା ୨୦୨୪ ନିର୍ବାଚନରେ ବିଜେଡ଼ି ଏଠାରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚାଲିଛି ଅଙ୍କକଷା । ପ୍ରାର୍ଥୀ ଚୟନରେ ଏପଟ ସେପଟ ହେଲେ ବିଜେଡ଼ି ହାତରୁ ଆସନ ଖସିଯିବା ସମ୍ଭାବନା ରହିଛି । କାରଣ ଏଠାରେ ବିଜେପି ଓ ବିଜେଡ଼ି ସଂଗଠନକୁ ଦେଖିଲେ କେହି କାହା ଠାରୁ କମ ନାହାନ୍ତି । ବିଜେପି କର୍ମୀଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ବିବାଦୀୟ ହୋଇ ବିଧାୟକ ଜଗଦେବ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ମାତ୍ର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ନିର୍ବାଚନ ମଣ୍ଡଳୀର ଛାମୁଆ ନେତାଙ୍କ ସହ ତୁହାକୁ ତୁହା ବୈଠକ କରୁଛନ୍ତି । ଏହା ସତ୍ତ୍ବେ ଚିଲିକା ଆସନକୁ ନେଇ ବିଜେଡିରେ ଏକାଧିକ ଆଶାୟୀ ରହିଛନ୍ତି । ବିଜେଡିରୁ ଆଶାୟୀ ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଦଳୀୟ ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ମଧ୍ୟ ପ୍ରାର୍ଥୀ କରିପାରେ । କାରଣ ମାନସ ଅତୀତରେ 2009 ନିର୍ବାଚନରେ କଂଗ୍ରେସ ଟିକେରଟରୁ ଲଢି ପରାଜିତ ହୋଇଛନ୍ତି । ଏନେଇ ବିଜେଡି ନେତା ମାନେ କହିଛନ୍ତି ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ଆମେ ସମର୍ଥନ କରି ନିର୍ବାଚନ ଲଢିବୁ ।
ଅଧିକ ପଢନ୍ତୁ- ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଥିଲା: ମୋତେ ଟିକେଟ ମିଳିବ, ମୁଁ ଜିତିବି କହିଲେ ଚିଲିକା ବିଧାୟକ