ଭୁବନେଶ୍ବର: ଥାନା କି ପୋଲିସର ନାଁ ଶୁଣିଲେ ଅନେକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ଥାନାକୁ ବିଭିନ୍ନ ବର୍ଗର ଲୋକଙ୍କ ଆଗମନ ହୋଇଥାଏ । ଏହାରି ମଧ୍ୟରେ କୋମଳମତି ଶିଶୁ ବା ଛୋଟପିଲା ମଧ୍ୟ ଆସିଥାଆନ୍ତି । ଅନେକ ସମୟରେ ଶିଶୁ ଶ୍ରମିକ ଭାବେ କାମ କରୁଥିବା ଛୋଟ ପିଲାଟିଏ ଉଦ୍ଧାର ହୋଇ ପ୍ରଥମେ ଥାନାକୁ ଆସିଥାଏ, ଅଥବା କୌଣସି ମହିଳା ଥାନାକୁ ଆସିଥିଲେ ତାଙ୍କ ସହ ଛୋଟ ପିଲାଟିଏ ବା କୌଣସି ମାମଲାରେ ଅପରାଧିଙ୍କ ପରିବାର ମଧ୍ୟ ଆସିଥାନ୍ତି ଥାନାକୁ । ସେତେବେଳେ ଆସିଥିବା ଛୋଟ ପିଲା ବା ଶିଶୁର ମନରେ ଥାନାର କୋଳାହଳ ନେଇ ଏକ ଭୟ ସୃଷ୍ଟି ହୋଇଥାଏ । ହେଲେ ଏହାର ପ୍ରଭାବ ଯେପରି ଛୋଟ ଛୁଆର ମନରେ ନପଡେ, ସେଥିପାଇଁ ଏକ ପ୍ରୟାସ ଆରମ୍ଭ କରିଛି ପୋଲିସ । ଏନେଇ ନୟାପଲ୍ଲୀ ଥାନାରେ ଉଦଘାଟିତ ହୋଇଛି ଶିଶୁ ଅନୁକୁଳ ପ୍ରକୋଷ୍ଠ ।
ପୋଲିସ କମିଶନର ଓ ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ଏପରି ଏକ ପ୍ରକୋଷ୍ଠର ଉଦଘାଟନ କରାଯାଇଛି । ଆଗାମୀ ଦିନରେ ଥାନାକୁ ଆସୁଥିବା ଛୋଟ ପିଲାଟିଏ ଯେପରି ଏକ ବନ୍ଧୁତ୍ବପୂର୍ଣ୍ଣ ପରିବେଶର ଅନୁଭବ କରିପାରିବ, ସେନେଇ ପ୍ରକୋଷ୍ଠରେ ଖେଳିବା ପାଇଁ ବିଭିନ୍ନ ସାମଗ୍ରୀ ରହିଛି । ପଢ଼ିବା ପାଇଁ ଶିଶୁ ସାହିତ୍ୟିକ ବହି ବା ବିଭିନ୍ନ ରଙ୍ଗବେରଙ୍ଗର ପ୍ରତିଛବି ଥିବା ବହି ସହ ଛୋଟଛୋଟ ଖେଳନା ରହିଛି । ଯାହାକୁ ଦେଖି ଛୋଟ ପିଲାଟିଏ ଖେଳିବାକୁ ଖୁସି ହେବ । ପୋଲିସକୁ ଭୟ କରିବା ପରିବର୍ତ୍ତେ ଏକ ଭଲ ଦୃଷ୍ଟିରେ ଦେଖିବ । ଏହାଦ୍ବାରା ଅନେକ ଘରୋଇ କଳି ହେଉ ବା ପାରିବାରିକ ବିବାଦ ଅଥବା ଅନେକ ସମୟରେ ବସ୍ତିରେ ଗଣ୍ଡଗୋଳ ବା ଅନ୍ୟ କୌଣସି ବିବାଦ ନେଇ ବୁଝାମଣା ପାଇଁ ଥାନାକୁ ଆସିଥିବା ପରିବାର ସହ ଛୋଟ ପିଲାଟିର ମନରେ ଅନ୍ୟ କୌଣସି ଚାପ ପଡିବ ନାହିଁ । ଥାନାକୁ ଏକ ସହଯୋଗ କେନ୍ଦ୍ର ଭାବେ ଅନୁଭବ କରିପାରିବ ।