ଓଡିଶା

odisha

By ETV Bharat Odisha Team

Published : Dec 6, 2023, 7:40 AM IST

Updated : Dec 6, 2023, 2:26 PM IST

ETV Bharat / state

ସଚିବ ସ୍ତରୀୟ ବୈଠକ; ଆର୍ଥିକ ପ୍ରଦର୍ଶନକୁ ଅଧିକ ତ୍ୱରାନ୍ୱିତ କରିବାକୁ ସିଏସଙ୍କ ଗୁରୁତ୍ୱ

Secretary Level Meeting: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ । ବିଭିନ୍ନ ବିଭାଗର କାର୍ଯ୍ୟ ସଫଳତା ସମୀକ୍ଷା କଲେ ପ୍ରଦୀପ ଜେନା । ଅଧିକ ପଢ଼ନ୍ତୁ

ସଚିବସ୍ତରୀୟ ବୈଠକ
ସଚିବସ୍ତରୀୟ ବୈଠକ

ସଚିବ ସ୍ତରୀୟ ବୈଠକ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସଚିବସ୍ତରୀୟ ବୈଠକ । ଭୁବନେଶ୍ୱର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଯୋଗ ଦେଇଛନ୍ତି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗତ ନଭେମ୍ୱର ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ପ୍ରମୁଖ କାର୍ଯ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଛନ୍ତି । ନଭେମ୍ବର ମାସରେ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ରାଜ୍ୟରେ ବ୍ୟାଙ୍କିଂ ସୁବିଧା ନଥିବା ବିଭିନ୍ନ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧାର ଶୁଭାରମ୍ଭ, ଗମନାଗମନ ସୁବିଧା ନଥିବା ଅଞ୍ଚଳକୁ ଲକ୍ଷ୍ମୀ ବସ୍ ସେବା, ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ, ଉଚ୍ଚଶିକ୍ଷା ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ଜଳ ସଂପଦ ବିଭାଗ ଆଦିରେ ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସମ୍ପର୍କରେ ସୂଚନା ଦିଆଯାଇଛି ।

ଗତ ନଭେମ୍ବର ମାସରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସେତୁ ନିର୍ମାଣ ଶେଷ ହୋଇଛି । ଓଡ଼ିଶା ଫୁଟବଲ ଏକାଡେମୀ ସ୍ଥାପନ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହିତ ଓଡ଼ିଶା ଟେନିସ ଏକାଡେମୀ ଉଦଘାଟନ ହୋଇଛି । ଜଳ ସମ୍ପଦ ବିଭାଗରେ ଜଳ ବିଜ୍ଞାନ ଓ ତଥ୍ୟ କେନ୍ଦ୍ର ଉଦଘାଟିତ ହୋଇଛି । ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ସ୍ୱର୍ଣ୍ଣ ପଦକ ଲାଭ କରିଥିବା ସହ ଅନ୍ୟ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ଗତ ନଭେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଆଲୋକପାତ କରିଛନ୍ତି । ବଜେଟ ଅନୁମୋଦନ ଅନୁସାରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷର ଆର୍ଥିକ ଅଭିବୃଦ୍ଧି ସହିତ ବିନିଯୋଗ ପ୍ରତିଶତ ଅଧିକ ରହିଛି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଭିତ୍ତିଭୂମି ନିର୍ମାଣ କ୍ଷେତ୍ର, ସାମାଜିକ ସୁରକ୍ଷା କ୍ଷେତ୍ରରେ ଗତବର୍ଷ ଏହି ମାସ ତୁଳନାରେ ଏ ବର୍ଷ ଅଭିବୃଦ୍ଧି ପ୍ରତିଶତ ଅଧିକ ରହିଛି । ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗରେ ଗତବର୍ଷ ନଭେମ୍ବର ମାସ ତୁଳନାରେ ଏ ବର୍ଷ ୧୧୭ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଏହା ମଧ୍ୟ ପଢନ୍ତୁ: କ୍ୟାବିନେଟ ନିଷ୍ପତ୍ତି; ବକେୟା ମୋଟର ଯାନ ଟିକସ ଛାଡ

ପଞ୍ଚାୟତିରାଜ ବିଭାଗରେ ୨୩୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୮୮ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଜିଏସଟି ସଂଗ୍ରହ, ଭୂରାଜସ୍ବ ଆଦାୟ ଏବଂ ଯାନବାହନରୁ କର ଆଦାୟ ଆଦିରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ନିଜସ୍ବ ରାଜସ୍ବ ଆଦାୟ ଗତ ବର୍ଷ ତୁଳନାରେ ୧୮.୪ ପ୍ରତିଶତ ବୃଦ୍ଧି ଘଟିଛି । ଅଣ ରାଜସ୍ବ କର କ୍ଷେତ୍ରରେ ୧୭.୫୭ ପ୍ରତିଶତ ବୃଦ୍ଧି ଘଟିଛି । ରାଜ୍ୟକୁ ପ୍ରଦାନ କରାଯାଇଥିବା ସ୍ବତନ୍ତ୍ର ଅନୁଦାନ ପାଣ୍ଠି ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ, ୨୦୨୪-୨୫ ରାଜ୍ୟ ବାର୍ଷିକ ବଜେଟ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି ।

ସବୁ ବିଭାଗର ଆର୍ଥିକ ଓ କାର୍ଯ୍ୟ ପ୍ରଦର୍ଶନ ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ଏହି ସଫଳତା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ବଜେଟ ଅନୁମୋଦନ ଅନୁସାରେ କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରି ଆର୍ଥିକ ବିନିଯୋଗ ବୃଦ୍ଧି କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ଆଗାମୀ ଡିସେମ୍ବର ୧୦ ତାରିଖରେ ବିହାରର ପାଟଣାରେ ହେବାକୁ ଥିବା ୨୬ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ଆଲୋଚନା ହେବାକୁ ଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ରାଜ୍ୟର ପ୍ରସ୍ତୁତି ପରିପ୍ରେକ୍ଷୀରେ ଆଲୋଚନା କରାଯାଇଛି । ମୁଖ୍ୟ ବାଣିଜ୍ୟ କର ତଥା ଜିଏସଟି କମିଶନର ସଂଜୟ କୁମାର ସିଂ ଇନପୁଟ ଟ୍ୟାକ୍ସ କ୍ରେଡିଟ ଏବଂ ଜିଏସଟି ଅଧୀନରେ ଏହାର ପ୍ରତ୍ୟାବର୍ତ୍ତନ ସଂପର୍କରେ ବିଶଦ ତଥ୍ୟ ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 6, 2023, 2:26 PM IST

ABOUT THE AUTHOR

...view details