ପୁରୀ: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସତ୍ୟବାଦୀ ଗସ୍ତରେ ଆସିଛନ୍ତି । ସେଠାରେ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି । ଡିସେମ୍ବର ଶେଷ ସୁଦ୍ଧା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜାନୁଆରି ୨୬ ତାରିଖ ଜନରାଜ୍ୟ ଦିବସ ଅବସରରେ ପ୍ରକଳ୍ପକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟଶାସନ ସଚିବ ପଟ୍ଟନାୟିକିଆ ଛକ ନିକଟରେ ଥିବା ନିର୍ମାଣାଧୀନ ଅଭ୍ୟର୍ଥନା ଓ ସୂଚନା କେନ୍ଦ୍ର ପରିଦର୍ଶନ କରିଥିଲେ ।
ଉତ୍କଳମଣି ପଣ୍ଡିତ ଗୋବପନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋରେ ନିର୍ମାଣାଧୀନ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର, ଉତ୍କଳମଣିଙ୍କ ଷଠୀଘର, କୂଳଦେବତା ରାଧା ବିନୋଦ ବିହାରୀଙ୍କ ମନ୍ଦିର, ସଂଗ୍ରହାଳୟ, ପ୍ରମୋଦ ଉଦ୍ୟାନ, ପୁଷ୍କରିଣୀ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଓଡିଶାର ସର୍ବୋଚ୍ଚ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥଳ ପରିଦର୍ଶନ କରିଛନ୍ତି । ମୁଖ୍ୟ ଶାସନ ସଚିବ ମଧ୍ୟ ପଟ୍ଟନାଇକିଆ ଛକ ନିକଟରେ ନିର୍ମାଣଧୀନ ଅଭ୍ୟର୍ଥନା ଓ ସୂଚନା କେନ୍ଦ୍ର ପରିଦର୍ଶନ କରିଛନ୍ତି । ସମୁଦାୟ ୨୫ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ସୁଆଣ୍ଡୋ ଗ୍ରାମ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି ।
ମୁଖ୍ୟ ଶାସନ ସଚିବ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର ନିର୍ମାଣ ସମ୍ପର୍କରେ ମୁଖ୍ୟ ଶିଳ୍ପୀ ତ୍ରିନାଥ ମହାରଣାଙ୍କ ସହ ଆଲୋଚନା କରିିଛନ୍ତି । ଗ୍ରାମରେ ଭୂତଳ କେବୁଲରେ ବିଦ୍ୟୁତ୍ ଯୋଗାଣ କାର୍ଯ୍ୟ ଶେଷ ହୋଇଛି । ଗ୍ରାମ ଦାଣ୍ଡର ମଧ୍ୟ ଉନ୍ନତି କରଣ କରାଯାଉଛି । ଡିସେମ୍ବର ମାସ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ସେ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।