ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରୁ ବଳକା ଚାଉଳ ଉଠାଇବା ଲାଗି ଅନୁରୋଧ କରିଛନ୍ତି ନବୀନ । ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରାଜ୍ୟରୁ 20 ଲକ୍ଷ ମେଟ୍ରିକ ଟନ ବଳକା ଚାଉଳ ଉଠାଇବା ପାଇଁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ କରିଛନ୍ତି ଅନୁରୋଧ ।
ଆଜି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀଙ୍କଠାରୁ ମୋଟ 54 ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗୃହୀତ ହୋଇଛି । ଏଥିରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟ କଲ୍ୟାଣକାରୀ ଯୋଜନାରେ 24 ଲକ୍ଷ ମେଟ୍ରିକ ଟନ ଚାଉଳ ବ୍ୟବହୃତ ହେବ । ପ୍ରାୟ 30 ଲକ୍ଷ ମେଟ୍ରିକ ଟନ ଚାଉଳ ଓଡ଼ିଶାରେ ବଳକା ରହିବ । କିନ୍ତୁ କେନ୍ଦ୍ର ସରକାର 10 ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାକୁ ଟାର୍ଗେଟ ଦେଇଛନ୍ତି । ଏହା ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିବ । ତେଣୁ ବଳକା 20 ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଅନୁରୋଧ କରିଛନ୍ତି ।
ଏହାବି ପଢନ୍ତୁ - Ayodhya Ram Mandir: ଭଗବାନ ରାମଲାଲାଙ୍କ ପ୍ରତିମା ପାଇଁ ଓଡିଶାରୁ ଆସିଲା ପଥର
ମୁଖ୍ୟମନ୍ତ୍ରୀ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଚଳିତ 2022/23 ଖରିଫ ଋତୁରେ ରାଜ୍ୟରେ ଧାନ ସଂଗ୍ରହ ଆସନ୍ତା 31 ତାରିଖ ଯାଏଁ ଚାଲିବ । ଚଳିତ ଖରିଫ ସିଜିନରେ 22 ତାରିଖ ସୁଦ୍ଧା 44 ଲକ୍ଷ 23 ହଜାର ମେଟ୍ରିକ ଟନ ଚାଉଳ ସଂଗ୍ରହ ହୋଇଛି । ଏଥିପାଇଁ 13 ହଜାର 81 କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଦେଇଛନ୍ତି ରାଜ୍ୟ ସରକାର । ଆଉ 8 ଦିନ ମଧ୍ୟରେ 10 ଲକ୍ଷ ମେଟ୍ରିକ ଟନର ଚାଉଳ ସଂଗ୍ରହ ହେବାର ଆକଳନ କରାଯାଉଛି । ଚାଷୀଙ୍କଠାରୁ ସଂଗୃହୀତ ମୋଟ 54 ଲକ୍ଷ ମେଟ୍ରିକ ଟନ ଚାଉଳରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟ କଲ୍ୟାଣକାରୀ ଯୋଜନା ଜରିଆରେ 24 ଲକ୍ଷ ମେଟ୍ରିକ ଟନ ଚାଉଳ ବ୍ୟବହୃତ ହେବ । ପ୍ରାୟ 30 ଲକ୍ଷ ମେଟ୍ରିକ ଟନ ଚାଉଳ ଓଡ଼ିଶାରେ ବଳକା ରହିବ ।
ହେଲେ କେନ୍ଦ୍ର ସରକାର 10 ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାକୁ ଟାର୍ଗେଟ ଦେଇଥିବାରୁ ଏହା ଓଡ଼ିଶା ପାଇଁ ସମସ୍ୟା ଆଣିବ । ବଳକା 20 ଲକ୍ଷ ମେଟ୍ରିକ ଟନ ଚାଉଳ ଭାରତୀୟ ଖାଦ୍ୟ ନିଗମ ବା ଏଫସିଆଇ ଓଡ଼ିଶାରୁ ନଉଠାଇଲେ ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । କେନ୍ଦ୍ର ସରକାର ଯଦି ବଳକା ଚାଉଳ ନଉଠାନ୍ତି ତେବେ ଆଗାମୀ ସିଜିନରେ ଧାନକିଣା ବି ବାଧାପ୍ରାପ୍ତ ହେବ । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି 20 ଲକ୍ଷ ମେଟ୍ରିକ ଟନ ଚାଉଳ ତୁରନ୍ତ ଉଠାଇବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସେଥି ମଧ୍ୟରୁ 16 ଲକ୍ଷ ଉଷୁନା ଓ 3 ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ ଚାଷୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଉଠାଇବାକୁ ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଛନ୍ତି । ଯଦି କେନ୍ଦ୍ର ସରକାର ଏହି ଉଷୁନା ଚାଉଳ ଓଡ଼ିଶାରୁ ସଂଗ୍ରହ ନକରନ୍ତି, ରାଜ୍ୟର ପ୍ରାୟ 10 ଲକ୍ଷ ଚାଷୀ ପରିବାର ପ୍ରଭାବିତ ହେବେ ।
ଇଟିଭି ଭାରତ, ଭୁବନେଶ୍ବର