ଓଡିଶା

odisha

Padmapur byPoll: ସିଇଓଙ୍କ ପ୍ରସ୍ତୁତି ବୈଠକ, ବୁଥ୍‌ ଯାଞ୍ଚ କରିବେ ବିଡିଓ

By

Published : Nov 7, 2022, 12:45 PM IST

ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ ପ୍ରସ୍ତୁତି ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (Chief election officer) । ଅଧିକ ପଢନ୍ତୁ

CEO meeting for Padmapur byPoll
ସିଇଓଙ୍କ ପ୍ରସ୍ତୁତି ବୈଠକ, ବୁଥ ଯାଞ୍ଚ କରିବେ ବିଡିଓ

ଭୁବନେଶ୍ବର: ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଭିସି ଜରିଆରେ ବରଗଡ଼ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଏବଂ ଉପନିର୍ବାଚନ ସହ ଜଡ଼ିତ ଥିବା ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି । ଉପନିର୍ବାଚନକୁ ପ୍ରଶାସନ ପାଖରେ ଖୁବ୍ କମ୍ ସମୟ ରହିଛି ।

ତେଣୁ ନିର୍ବାଚନ ପରିଚାଳନା ଯୋଜନା ଖୁବ୍‌ଶୀଘ୍ର ପ୍ରସ୍ତୁତ କରିବାକୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି । ରିଟଣ୍ଡିଙ୍ଗ୍‌ ଅଧିକାରୀ, ସହକାରୀ ରିଟଣ୍ଡିଙ୍ଗ୍‌ ଅଧିକାରୀ ଏବଂ ପୁଲିଙ୍ଗ୍ ଅଧିକାରୀମାନଙ୍କୁ ନିଯୁକ୍ତ କରିବାକୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେମାନଙ୍କୁ ନିର୍ବାଚନ ପରିଚାଳନା ପାଇଁ ତାଲିମ ପ୍ରଦାନ କରିବାକୁ ପଦକ୍ଷେପ ନେବାକୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି ।

ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ଥିବା ସମସ୍ତ ବୁଥଗୁଡ଼ିକୁ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପରିଦର୍ଶନ କରାଇ କାର୍ଯ୍ୟକ୍ଷମ କରାଇବାକୁ ଜିଲ୍ଲା ନିର୍ବାଚନ ଅଧୀକାରୀ ତଥା ଜିଲ୍ଲାପାଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।ବୁଥ୍‌ଗୁଡ଼ିକୁ ଥିବା ରାସ୍ତାଘାଟରେ ଯଦି କୌଣସି ଅସୁବିଧା ଥାଏ, ତେବେ ତାହାର ତୁରନ୍ତ ମରାମତି କରାଇବା ପାଇଁ ପ୍ରସ୍ତୁତି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ଉପନିର୍ବାଚନ ନିମନ୍ତେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ରିଟଣ୍ଡିଙ୍ଗ୍ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି ।

ଉପନିର୍ବାଚନ ପରିଚାଳନା ନିମନ୍ତେ ଆବଶ୍ୟକ ହେଉଥିବା ମାଜିଷ୍ଟ୍ରେଟ୍ ସେକ୍ଟର ସୁପରଭାଇଜର ତଥା ସେକ୍ଟର ମାଜିଷ୍ଟ୍ରେଟ୍ ନିଯୁକ୍ତି, ଉପନିର୍ବାଚନ ସମୟରେ ନିଯୁକ୍ତ ହେବାକୁ ଥିବା ସୁରକ୍ଷା କର୍ମଚାରୀମାନଙ୍କୁ ଚିହ୍ନଟ କରି ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଉଭୟ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି ।

ଏହା ବି ପଢନ୍ତୁ...ଡ଼ିସେମ୍ବର 5ରେ ପଦ୍ମପୁର ଉପନିର୍ବାଚନ, ସୁଶାନ୍ତ କହିଲେ ବିଜୟୀ ହେବ BJD

ଉପନିର୍ବାଚନ କାର୍ଯ୍ୟକ୍ରମରେ ଆବଶ୍ୟକ ହେଉଥିବା ନିର୍ବାଚନ ସାମଗ୍ରୀଗୁଡ଼ିକୁ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରୁ ସଂଗ୍ରହ କରିବା ସହ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ କିଣିବାକୁ ପରାମର୍ଶ ଦିଆଯାଇଛି । ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାକୁ ଅପଡେଟ୍ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି । ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ପର୍ଯ୍ୟନ୍ତ ଭୋଟର ତାଲିକା ଅପଡେଟ୍‌ କରାଯାଇପାରିବ । ଏଥିପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧୁକାରୀ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବ ନିର୍ବାଚନଗୁଡ଼ିକର ମତଦାନ ହାରକୁ ପର୍ଯ୍ୟାଲୋଚନା କରି ଯେଉଁଠାରେ ମତଦାନ ହାର କମିଛି, ସେଠାରେ ସୁଇପ୍ (SWEP) ମାଧ୍ୟମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ବୈଠକରେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ, ବରଗଡ଼ ଏସପି, ଉପଜିଲ୍ଲାପାଳ, ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ, ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଆସିଷ୍ଟାଣ୍ଟ ଇଂଜିନିୟର ଇଦ୍ରିଶ ଖାନ୍ ଓ ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉ କି, ଅକ୍ଟୋବର 3 ତାରିଖରେ ପଦ୍ମପୁର ବିଧାୟକ ବିଜୟ ସିଂ ବରିହାଙ୍କ ବିୟୋଗ ପରେ, ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଡିସେମ୍ବର 5 ତାରିଖରେ ନିର୍ବାଚନ ହେବ ଓ 8 ତାରିଖରେ ଫଳ ପ୍ରକାଶ ପାଇବ । ଧାମନଗରରେ ସଦ୍ୟ ସମାପ୍ତ ଉପନିର୍ବାଚନରେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜୟ ହାସଲ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details