ଖୋର୍ଦ୍ଧା:ମା' ରାମଚଣ୍ଡୀଙ୍କର ପ୍ରସିଦ୍ଧ ଛତ୍ରିଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ପାଞ୍ଚଶହ ବର୍ଷ ଧରି ବୋଲଗଡ ବ୍ଳକ ବାଇଦେଶ ପଞ୍ଚାୟତ ବାଙ୍କୋଇ ଗ୍ରାମର ଆରାଧ୍ୟା ଦେବୀ ରାମଚଣ୍ଡୀଙ୍କ ଏହି ପ୍ରସିଦ୍ଧ ପର୍ବ ମହାଆଡ଼ମ୍ବରରେ ପାଳିତ ହୋଇ ଆସୁଛି । ମହାଳୟା ଅମାବାସ୍ୟା ପରେ ପ୍ରତିପଦା ତିଥିର ବିଳମ୍ବିତ ରାତିରେ ରାମଚଣ୍ଡୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମା’ଙ୍କ ଏକ ଶୋଭା ଯାତ୍ରାରେ ବାହାରିଥିଲା । ଏଥିରେ ଶହ ଶହ ସଂଖ୍ୟାରେ ଛତ୍ରି ଦେଖିବାକୁ ମିଳିଥିଲା ।
ମା' ଗ୍ରାମ ପରିକ୍ରମା କରି କଚେରିବରଠାରେ ପହଞ୍ଚିଥିଲେ । ଏହି ପୀଠକୁ ମା' ରାମଚଣ୍ଡୀଙ୍କର ଦୁଇଭଉଣୀ ଜଟେଇଶୁଣୀ ଓ ଫୁଲକାଶୁଣୀ ଆଉ ଏକ ଶୋଭାଯାତ୍ରାରେ ଆସି ପହଞ୍ଚିଥିଲେ ଏବଂ ଦୁଇଭଉଣୀଙ୍କ ସହ ଏଠାରେ ଅବସ୍ଥାନ କରିଥିଲେ । ମା' ରାମଚଣ୍ଡୀଙ୍କ ଶୋଭାଯାତ୍ରାରେ ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ଆଲୋକମାଳା ସହ ଛତ୍ରି ଦେଖିବାକୁ ମିଳିଥିଲା । ଛତ୍ରି ଗୁଡିକ ବାଉଁଶ ପାତିଆରେ ତିଆରି ହୋଇଥାଏ । ଛୋଟଠାରୁ ବଡ ପର୍ଯ୍ୟନ୍ତ ବିଭିନ୍ନ ଆକାରର ଛତ୍ରି ଯାତ୍ରାରେ ଶୋଭାପାଏ । ମା' ପିଲାମାନଙ୍କୁ ଭଲପାଉଥିବାରୁ ସେମାନଙ୍କ ସାଥିରେ କବାଡି ଖେଳ ଡୁଡୁ ଖେଳିବାକୁ ଭଲପାଆନ୍ତି ବୋଲି ଏଠାରେ ବିଶ୍ୱାସ ରହିଛି । ତେଣୁ ଯାତ୍ରାରେ ପିଲାମାନେ ମା'ଙ୍କୁ ଖୁସି କରିବାକୁ ଆଲୋକ ଦୁହୁଡି ସଜ୍ଜିତ ଛତ୍ରି ଧରିଥାନ୍ତି ।