ଭୁବନେଶ୍ବର:ବରଗଡ ଜିଲ୍ଲା ପଦ୍ମପୁରରେ ନୂଆ ଅତିରିକ୍ତ ଜିଲ୍ଲାପାଳ (ADM) ନିଯୁକ୍ତ । ଚଭନ କୁନାଲ ମୋତିରାମଙ୍କୁ ପଦ୍ମପୁରର ପ୍ରଥମ ADM ଭାବେ ନିଯୁକ୍ତି ମିଳିଛି । ପଦ୍ମପୁରରେ ପ୍ରଥମ ADM ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ୨୦୨୦ ବ୍ୟାଚର IAS ଅଫିସର ଚଭନ କୁନାଲ ଏବେ ବାଲେଶ୍ୱରର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି ।
ପଦ୍ମପୁର ବରଗଡ଼ ଜିଲ୍ଲାର ଏକ ଉପଖଣ୍ଡ । ପଦ୍ମପୁରରେ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦ୍ୱାରା ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ ହେବା ସହିତ ଲୋକଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା ରଖିଛନ୍ତି ସରକାର । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପନିର୍ବାଚନ ସମୟରେ ପଦ୍ମପୁରକୁ ୨୦୨୩ ସୁଦ୍ଧା ନୂଆ ଜିଲ୍ଲା କରିବାକୁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ପଦ୍ମପୁରକୁ ଜିଲ୍ଲା କରିବାକୁ କିଛି ଦିନ ପୂର୍ବରୁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଚଳିତ ମାସରେ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୂପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ଥାନ ନିରୂପଣ ପାଇଁ ପଦ୍ମପୁରରେ ପହଞ୍ଚି ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି ଆରଡିସି ସୁରେଶ ଚନ୍ଦ୍ର ଦଳାଇ । ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଜମି ନିରୂପଣରେ ସାମିଲ ହୋଇଛି । ଉପଜିଲ୍ଲାପାଳ ଓ ଆରଆଇଙ୍କ ଉପସ୍ଥିତିରେ ୩ଟି ସ୍ଥାନ ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ଜିଲ୍ଲା ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବାରୁ ପଦ୍ମପୁରବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି ।