ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅସ୍ତ୍ରୋପଚାର ପ୍ରସବ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ (ଏନଏଫଏମଏସ-୪) ୨୦୧୫-୧୬ ରିପୋର୍ଟ ଓ (ଏନଏଫଏମଏସ-୫) ୨୦୧୯-୨୧ ରିପୋର୍ଟ ଆଧାର ମଧ୍ୟରେ ଏହି ପ୍ରସବଜନିତ ଅସ୍ତ୍ରୋପଚାରର ହାର ୫୩.୭%ରୁ ବୃଦ୍ଧି ପାଇ ୭୦.୭%ରେ ପହଞ୍ଚିଛି । ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଗଠିତ ପ୍ରଜନନ ଶିଶୁ ସ୍ୱାସ୍ଥ୍ୟ ପ୍ୟାନେଲ ଦ୍ୱାରା ସୁପାରିଶ ସ୍ତରଠାରୁ ବହୁତ ଅଧିକ ଅଟେ । ଏ ସଂକାନ୍ତରେ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସହରାଞ୍ଚଳର ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏବେ ମାଆ ଓ ଶିଶୁମାନଙ୍କର ଯତ୍ନ ପ୍ରତି ସକରାତ୍ମକ ଭାବରେ ପଦକ୍ଷେପ ଗ୍ରହଣ କରାଯାଉଛି। ଏଣିକି ସମସ୍ତ ଘରୋଇ ହସ୍ପିଟାଲରେ ପ୍ରସବ ଜନିତ ଅସ୍ତ୍ରୋପଚାର ଗୁଡ଼ିକର ଅଡ଼ିଟ କରାଯିବ । ଏହା ଚଳିତ ବର୍ଷ ମଇ ମାସ ୧ ତାରିଖରୁ କାର୍ଯ୍ୟକାରୀ କରାଯିବ । ଏହା ମଧ୍ୟ ପୂର୍ବରୁ ସମସ୍ତ ସରକାରୀ ଚିକିତ୍ସାଳୟରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ରାଜ୍ୟରେ ଏବେ ପ୍ରସବଜନିତ ଅସ୍ତ୍ରୋପଚାର ସଂପର୍କରେ ଅଡ଼ିଟ କରିବା ନିତ୍ୟାନ୍ତ ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ସମସ୍ତ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ପ୍ରସବଜନିତ ଅସ୍ତ୍ରୋପଚାରର ଅଡ଼ିଟ ଆରମ୍ଭ କରିବାକୁ ଯାଉଛନ୍ତି ।