ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଲିକା ଭଳି ଅଞ୍ଚଳରେ ରହୁଥିବା ମତ୍ସ୍ୟଜୀବୀଙ୍କ ବ୍ୟବସାୟକୁ ବଢ଼ାଇବା ପାଇଁ ପ୍ରୋତ୍ସାହନ ଦେଉଥିବାବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାର ମତ୍ସ୍ୟଜୀବୀଙ୍କ ବିକାଶରେ ବାଧକ ସାଜିଛନ୍ତି ।' କିଛି ଏଭଳି ଭାଷାରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ସୋରଣଠାରେ ଆୟୋଜିତ ସଂକଳ୍ପ ସମାବେଶରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧରେନ୍ଦ୍ର ପ୍ରଧାନ ।
ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ ନେତାମାନଙ୍କ ସଭା ସମିତି ଶୋଭାଯାତ୍ରା ମଧ୍ୟ ବଢି ବଢି ଚାଲିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେଠୁ କସରତ ଆରମ୍ଭ କରିଦେଲେଣି ନେତା ଓ କର୍ମୀମାନେ । ତେବେ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଏକ ସଂକଳ୍ପ ସଭାରେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସଭାରେ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ସଚେତନତା କରିବା ସହ ମାଛ ବ୍ୟବସାୟକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ।
ଏହାମଧ୍ୟ ପଢନ୍ତୁ..ରାଜ୍ୟ ସରକାରଙ୍କ ଅପରାଗତା ଓ ଷଢଯନ୍ତ୍ର ପାଇଁ ବିଳମ୍ବ ହୋଇଛି NH କାମ: ବିଜେପି
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,"ଯେ ଚିଲିକା ମାଟି ମହାପ୍ରଭୁ ଶ୍ରୀଜଗନ୍ନାଥ, ମା କାଳିଜାଇ, ମା ଭଗବତୀଙ୍କ ପ୍ରତି ଥିବା ଆବେଗକୁ ଦର୍ଶାଏ । ଭୁବନେଶ୍ୱର ବଡ଼ ବଡ଼ିଆ ଅଧିକାରୀମାନେ ଓ ଚିଲିକା ସହ ଯୋଡ଼ି ହୋଇ ନଥିବା ଲୋକମାନେ ମାଛ ବ୍ୟବସାୟକୁ କବ୍ଜା କରିବାକୁ ଚାହୁଁଛନ୍ତି । ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ହେବ । ଯଦି ଗୁଜରାଟ ଭଳି ରାଜ୍ୟ ଭାରତର ସବୁଠୁ ବଡ଼ ସାମୁଦ୍ରିକ ଖାଦ୍ୟ ଓ ଉତ୍ପାଦର ବଡ଼ ରପ୍ତାନୀକାରୀ ରାଜ୍ୟ ହୋଇପାରୁଛି ତେବେ ଓଡ଼ିଶା କାହିଁକି ହୋଇପାରିବ ନାହିଁ ।"