ଭୁବନେଶ୍ବର:କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟ । ବିପୁଳ ସଂଖ୍ୟାରେ କଂଗ୍ରେସର ବାଜିମାତ ହୋଇଥିବା ବେଳେ ଦଳର ଏହି ଅଦ୍ଭୂତପୂର୍ବ ସଫଳତାକୁ ନେଇ ସାରା ଦେଶରେ ବିଜୟ ଉତ୍ସବ ପାଳୁଛି କଂଗ୍ରେସ । ଏହି କ୍ରମରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ଉତ୍ସବର ମାହୋଲ । ଝାରସୁଗୁଡ଼ାରେ କଂଗ୍ରେସର ପରାଜୟ ସତ୍ତ୍ବେ କର୍ଣ୍ଣାଟକରେ ଦଳର ବିଜୟ ନେଇ ରାଜ୍ୟ କଂଗ୍ରେସ ଭବନ ଚଳଚଞ୍ଚଳ ହୋଇଉଠିଛି । ଗୀତନାଚ ବାଦ୍ୟର ତାଳେତାଳେ କମ୍ପୁଛି କଂଗ୍ରେସ ଶିବିର ।
ପିସିସି ସଭାପତି ଶରତ ପଟନାୟକଙ୍କ ସମେତ ଅନ୍ୟ ନେତା କର୍ମୀ, ଯୁବ କଂଗ୍ରେସ ଛାତ୍ର କଂଗ୍ରେସ କର୍ମୀ ଓ ସାଧରଣ କର୍ମୀ ଏହି ବିଜୟ ଉତ୍ସବରେ ସାମିଲ ହୋଇଥିଲେ । ହାତରେ କଂଗ୍ରେସ ପତାକା ଧରି କଂଗ୍ରେସ ନାରା ଦେଇ ବାଣ ଫୁଟାଇ ନାଚିଥିଲେ । ମିଳିମିଶି ମିଠା ଖାଇ କର୍ଣ୍ଣାଟକରେ ବିପୁଳ ବିଜୟୀ ହୋଇଥିବା କଂଗ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି ଆଉ ସଫଳତାକୁ ନେଇ ଖୁସି ହୋଇଛନ୍ତି । ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଗଣତନ୍ତ୍ରର ସୁରକ୍ଷା ଓ ସୁଦୃଢ କରିବା ପାଇଁ କର୍ଣ୍ଣାଟକର ଜନସାଧାରଣ କଂଗ୍ରେସ ଦଳକୁ ବାଜିମାତ କରାଇଛନ୍ତି । ଆମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ । କର୍ଣ୍ଣାଟକ ଜନସାଧାରଣ ବିଜେପିକୁ ଶକ୍ତ ଝଟକା ଦେଇ ଗଣତନ୍ତ୍ରକୁ ସୃଦୁଢ କରିଛନ୍ତି । ଏଆଇସିସି ସଭାପତି, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଏଭଳି ବିଜୟ କଂଗ୍ରେସକୁ ମିଳିଛି । ତେଣୁ କର୍ଣ୍ଣାଟକର ଏହି ଜନାଦେଶରେ ସାମିଲ ହୋଇଥିବା ସଭିଙ୍କୁ କଂଗ୍ରେସ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଉଛି ।"