ଭୁବନେଶ୍ୱର:ଏମ୍ସରେ ସିବିଆଇ ରେଡ । ଲାଇସେନ୍ସ ଟେଣ୍ଡର ପ୍ରକ୍ରିୟା ନେଇ ଏମ୍ସ ପରିସରରେ ଥିବା ଫାର୍ମା ଷ୍ଟୋରରେ ଛାନଭିନ କରୁଛି ସିବିଆଇ । ଏଥିସହ ଏମ ଏସ ଚୌଧୁରୀ ମେଡିସିନ ଷ୍ଟୋରରେ ଯାଞ୍ଚ କରାଯାଉଛି । ଏମ୍ସ ଟେଣ୍ଡର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରୁଛି ସିବିଆଇ । ଗୁରୁବାର ଦିନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଦୁଇଟି ଟିମରେ ୮ଜଣ ସିବିଆଇ ଅଧିକାରୀ ଏକକାଳୀନ ଭାବେ ଚଢାଉ କରିଥିଲେ । ଔଷଧ ବିତରଣ ପ୍ରକ୍ରିୟାରେ ନେଇ ଯାଞ୍ଚ କରିବା ସହ ଟେଣ୍ଡର ପ୍ରକ୍ରିୟାରେ ବ୍ୟବହୃତ ହୋଇଥିବା ଡକ୍ୟୁମେଣ୍ଟକୁ ଜବତ କରିଛି ସିବିଆଇ ଟିମ୍ ।
ଟେଣ୍ଡର ହସ୍ତାନ୍ତର କରିଥିବା ଏମ୍ସ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ପଚରାଉଚରା କରାଯାଇଛି । ଏମ ଏସ ଚୌଧୁରୀ ଔଷଧ ଦୋକାନକୁ ଅହେତୁକ ଅନୁକମ୍ପା ଦେଖାଇ ଟେଣ୍ଡର ଦିଆଯାଇଥିବା ଅଭିଯୋଗ ଆସିଥିଲା । ଯାହାକୁ ଆଧାର କରି ସିବିଆଇ ପକ୍ଷରୁ ଛାନଭିନ କରାଯାଇଥିଲା । ସେହି ଅଭିଯୋଗ ନେଇ ସିବିଆଇ ଟିମ୍ ଯାଞ୍ଚ କରୁଛି ।
ତେବେ ପୂର୍ବରୁ ଏହି ମେଡିସିନ ଫାର୍ମା ଷ୍ଟୋର ନାଁରେ ଏକ ମାମଲାରେ ବୁର୍ଲାରେ ଏସଡିଜେଏମ କୋର୍ଟରେ କେସ ଚାଲିଛି । ଏହି ସମୟରେ ଫାର୍ମା ଷ୍ଟୋରକୁ କିପରି ଡ୍ରଗ କଣ୍ଟ୍ରୋଲର ଅନୁମତି ମିଳିଲା ଓ କିପରି ଆଉ ଏକ ଟେଣ୍ଡର ପାଇଁ ଆବେଦନ ପାଇଁ ଆବଶ୍ୟକୀୟ ଅନୁମତି ମିଳିଥିଲା ସେନେଇ ଯାଞ୍ଚ କରାଯାଉଛି । ଏଥିସହ ଏମ୍ସ ଭୁବନେଶ୍ୱରର ଟେଣ୍ଡର ହାତେଇବାରେ କିପରି ସହାୟକ ହୋଇଥିଲା ସେ ନେଇ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଯାଞ୍ଚ କରୁଛି ସିବିଆଇ ।