ଭୁବନେଶ୍ବର: ଜୀବ ବିଜ୍ଞାନ ପ୍ରତିଷ୍ଠାନ ଭୁବନେଶ୍ବର ILS (Institute of Life Science) ପକ୍ଷରୁ କର୍କଟ ରୋଗ ସମ୍ପର୍କିତ ଏକ ପବ୍ଲିକ ଲେକ୍ଚରର୍ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭେଷଜ ବିଜ୍ଞାନରେ ନୋବେଲ ବିଜେତା ପ୍ରଫେସର ହାରୋଲ୍ଡ ଭାର୍ମସ ଯୋଗଦେଇ କର୍କଟ ଭଳି ଏକ ଭୟଙ୍କର ରୋଗର ସଚେତନତା ବିଷୟରେ ଆଲୋକପାତ କରିଥିଲେ । ଏହି ରୋଗର ଚିକିତ୍ସା ଏକ ଜଟିଳ ପ୍ରକ୍ରିୟା । କର୍କଟ ରୋଗ କେତେକାଂଶରେ ବଂଶାନୁକ୍ରମିକ ଓ ଅନ୍ୟ କିଛି କ୍ଷେତ୍ରରେ ଏଥିପାଇଁ ପରିବେଶ ଓ ଅସନ୍ତୁଳିତ ଖାଦ୍ୟପେୟ ଦାୟୀ । ରାଷ୍ଟ୍ରରାଷ୍ଟ୍ର ମଧ୍ୟରେ ଏ ଦିଗରେ ଜ୍ଞାନ ଆଦାନପ୍ରଦାନ ହେବା ଉଚିତ ବୋଲି କହିଛନ୍ତି ନୋବେଲ ବିଜେତା ପ୍ରଫେସର ହାରୋଲ୍ଡ ଭାର୍ମସ ।
ସେ କହିଛନ୍ତି, "କର୍କଟ ରୋଗ ଚିକିତ୍ସା ଏକ ଜଟିଳ ପ୍ରକ୍ରିୟା । କର୍କଟ ରୋଗରୁ ଦୂରେଇ ରହିବାକୁ ହେଲେ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ । କିଛି କର୍କଟ ରୋଗ ପ୍ରତିଷେଧକ ଲାଗି ଟୀକା ରହିଛି । ସେହିପରି ନିର୍ଦ୍ଦିଷ୍ଟ କ୍ୟାନସର ସେଲକୁ ଚିହ୍ନଟ କରି ନଷ୍ଟ କରିବା ପାଇଁ ଚିକିତ୍ସା ବିଜ୍ଞାନରେ ନୂଆ ଗବେଷଣାଧର୍ମୀ ଚିକିତ୍ସା ପଦ୍ଧତି ବାହାରିଲାଣି । ଏଥିପାଇଁ ଟାର୍ଗେଟେଡ ଥେରାପି ବ୍ୟବହାର କରାଯାଉଛି । ଏହାଛଡ଼ା କର୍କଟ ରୋଗ ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ଥେରାପି ବ୍ୟବହାର କରିବାକୁ ପଡ଼ିବ । କର୍କଟ ରୋଗ ଚିକିତ୍ସା ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ । ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ମଧ୍ୟ ଏ ଦିଗରେ ଜ୍ଞାନ ଆଦାନ ପ୍ରଦାନ ହେବା ଉଚିତ । ଆମେରିକାରେ ସିଗାରେଟ ଖାଇ ବହୁ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବାବେଳେ ଭାରତରେ ପାନ ମସଲା, ତମ୍ବାଖୁ, ଗୁଟଖା ଖାଇ ଅଧିକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ।"