ଭୁବନେଶ୍ବର:ସାଧାରଣତଃ ବିବାହ ସମୟରେ ବର ସହିତ ଘରର କେହି କୁନି ପିଲା ମାର୍କୁଣ୍ଡି ହୋଇ ଯାଇଥାନ୍ତି । ହେଲେ ରାଜଧାନୀରେ ନିଆରା ଏକ ବିବାହ ଦେଖିବାକୁ ମିଳିଛି । ଯେଉଁଠି ବର ସହ ମାର୍କୁଣ୍ଡି ଯାଇଛି ବାଛୁରୀ । ଗୋ ସୁରକ୍ଷାର ବାର୍ତ୍ତା ଦେଇ ଏଭଳି ନିଆରା ବରଯାତ୍ରୀ ନେଇ ବାହା ହେବାକୁ ଯାଇଛନ୍ତି ଭୁବନେଶ୍ବର ପଥରଗାଡ଼ିଆର ବିଦ୍ୟାଧରପୁରର ତାରାକାନ୍ତ । ବର ବେଶରେ ନିଜେ ସଜେଇ ହୋଇଥିବା ବେଳେ ମାର୍କୁଣ୍ଡି ବେଶରେ ସଜେଇ ହୋଇଥିବା ଗୋମାତାଙ୍କୁ କୋଳରେ ଧରି ସେ ବାହା ହେବାକୁ ବାହାରିଛନ୍ତି ।
ପୁଅର ବାହାଘରକୁ ନେଇ ବାଜୁଥିଲା ଶଙ୍ଖ ତୁରୀ ଭେରୀ ଆଉ ଆଉ ବାଜା । ବର ବେଶରେ ସଜେଇ ହେଲା ପୁଅ ଆଉ ସଜେଇ ହେଲେ ଘରର ପ୍ରିୟ ବାଛୁରୀ । ବର ପରି ବାଛୁରି ବି ହଳଦୀ ଅଳତା ସିନ୍ଦୁର ସହ ଶୃଙ୍ଗାର କରି ପ୍ରସ୍ତୁତ କରାଗଲା । କାରଣ ମାର୍କୁଣ୍ଡି ବେଶରେ ବର ସହ ଯିବ ବାଛୁରୀ । ହିନ୍ଦୁ ବିବାହ ପରମ୍ପରାରେ ବର ସାଥିରେ ମାର୍କୁଣ୍ଡି ରହିବାର ପରମ୍ପରା କାହିଁ କେତେ ଆବାହମାନ କାଳରୁ ରହି ଆସିଛି। ତେଣୁ ଏହି ପରମ୍ପରାକୁ ନେଇ ବର ପ୍ରସ୍ତୁତି ହେଉଥିବା ବେଳେ ଏଠି କିନ୍ତୁ ମାର୍କୁଣ୍ଡି ସାଜିଛି ବାଛୁରୀ ।
ଏହା ବି ପଢନ୍ତୁ- No To Drugs: ବାଇକରେ ସଚେତନତା ବାର୍ତ୍ତା, ସାମିଲ ହେଲେ ଅଭିନେତା ସିଦ୍ଧାନ୍ତ
ବର ତାରାକାନ୍ତ ସମାଜ ସେବା ବା ଗୋ ସେବାରେ ୨୦ ବର୍ଷ ଧରି କାମ କରିଆସୁଛନ୍ତି । ତେଣୁ ଏମାନଙ୍କ ପ୍ରତି ଥିବା ଭଲପାଇବା ସ୍ନେହ, ଶ୍ରଦ୍ଧା, ସମ୍ମାନ ଓ ସୁରକ୍ଷାକୁ ପାଥେୟ କରି ତାରାକାନ୍ତଙ୍କ ବିବାହରେ ମାର୍କୁଣ୍ଡି ଭାବେ ସାମିଲ ହୋଇଛି ବାଛୁରୀ । ଏହାକୁ ନେଇ ସେ ବେଶ ଖୁସି ଥିବା ବେଳେ ସମସ୍ତଙ୍କୁ ଗୋ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ବାହାଘରରେ ବରଯାତ୍ରୀ, ବନ୍ଧୁ ପରିଜନ ବରଯାତ୍ରୀ ଯାଉଥିବା ବେଳେ ଗୋ ମାତାଙ୍କ ଦେହରେ ୩୩ କୋଟି ଦେବୀଦେବତା ଥିବାରୁ ତାଙ୍କର ଆଶୀର୍ବାଦକୁ ନେଇ ସେ ବିବାହ ପାଇଁ ଯାଇଥିବା କହିଛନ୍ତି ।
ଏନେଇ ବର ତାରାକାନ୍ତ କହିଛନ୍ତି, "ଗାଈ ଆମର ମାଆ । ତେଣୁ ତାଙ୍କୁ ହତାଦର ନକରି ତାଙ୍କର ସେବା କରିବା ଓ ତାଙ୍କୁ ସୁରକ୍ଷା କରିବା ଉଚିତ । ମୋ ଜୀବନ ସଙ୍ଗିନୀ ମଧ୍ୟ ମୋତେ ଏହି ସେବାରେ ସାହାଯ୍ୟ କରୁ ବୋଲି ମୁଁ ଆଶା କରୁଛି ।" ଅନ୍ୟପଟେ ପୁଅର ଏହି ନିଆରା ବାହାଘରରେ ପରିବାର ମଧ୍ୟ ବେଶ ଖୁସି । ଗୋ ମାତାଙ୍କୁ ବିବାହରେ ସାମିଲକୁ ନିଜର ସୌଭାଗ୍ୟ ବୋଲି କହିଛନ୍ତି ବରର ପିତାମାତା । ଗୋ ସେବାରେ ମନ ବଳାଇଥିବା ପୁଅ ଏଭଳି ସବୁବେଳେ ସେମାନଙ୍କର ସେବା ସୁରକ୍ଷା କରୁଥାଉ, ଆଉ ତାଙ୍କୁ ସମସ୍ତଙ୍କର ଆଶୀର୍ବାଦ ମିଳୁ ବୋଲି କହିଛନ୍ତି ତାରାକାନ୍ତଙ୍କ ପିତା ଭାସ୍କର ବେହେରା ।
ଇଟିଭି ଭାରତ, ଭୁବନେଶ୍ବର