ଭୁବନେଶ୍ବର: ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଆରମ୍ଭରୁ କମ୍ପିଲା ବିଧାନସଭା । ବିରୋଧିଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ପ୍ରଶ୍ନକାଳ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋ ହଲ୍ଲା କଲେ ବିରୋଧି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ସରକାରଙ୍କୁ ଘେରିଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ । ବାଚସ୍ପଚିଙ୍କ ପୋଡିୟମ ସାମ୍ନାକୁ ଆସି କଂଗ୍ରେସ ବିଧାୟକ ନାରାବାଜି କଲେ । ସେପଟେ କେନ୍ଦ୍ରର ଅବହେଳା ପ୍ରସଙ୍ଗକୁ ଉଠାଇ ବିଜେଡି ଦଳ ସଦସ୍ୟ ମଧ୍ୟ ପ୍ରତିବାଦ କଲେ । ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପଚି ବିକ୍ରମ କେଶରୀ ଆରୁଖ । ସାଢେ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ଗୃହରେ ହୋ ହଲ୍ଲା ଚାଲିବାରୁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି ।
ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧି ବିଜେପି ଓ କଂଗ୍ରେସ ପ୍ଲାକାର୍ଡ ଧରି ବିରୋଧ କରିଥିଲେ । ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରିଥିଲେ । ଶାସକ ଦଳର ସଦସ୍ୟ ମଧ୍ୟ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ଏହାପରେ ବିଜେଡିର ମହିଳା ବିଧାୟିକାମାନେ ବାଚସ୍ପତିଙ୍କୁ ଭେଟି ସୁରକ୍ଷା ଦାବି କରିଥିଲେ । ଏନେଇ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ନବ ଦାସ ଘଟଣାର ସିବିଆଇ ତଦନ୍ତ କରାଯାଉ । ଶାସକ ଦଳ ବାହାନା କରି ଏହି ମାମଲାରେ ଆଲୋଚନା ନକରିବା ପାଇଁ ଏପରି କରୁଛି । ଅନ୍ୟଟେ ଆଚରଣ ଏବଂ ଉଚ୍ଚାରଣରେ ବିରୋଧି ନିଜକୁ ସଜାଡନ୍ତୁ ବୋଲି କହିଛନ୍ତି ଶାସକ ଦଳ ବିଧାୟକ ଶଶି ଭୂଷଣ ବେହେରା ।
ଅନ୍ୟପଟେ ଏହି ହତ୍ୟା ମାମଲାରେ କଂଗ୍ରେସ ନେତା ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି । ଏହି ଘଟଣାରେ ବିଜୁ ଜନତା ଦଳର ଜଣେ ନେତାଙ୍କ ସମ୍ପୃକ୍ତି ରହିଛି । ସେହି ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ କହିଛନ୍ତି କଂଗ୍ରେସ ବିଧାୟକ ।
ବିରୋଧୀଙ୍କ ହୋ ହଲ୍ଲା ପରେ ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ଦିନ ସାଢେ଼ ୧୧ଟାରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ହେଲେ ପୁଣି ଗୃହରେ ହୋ ହଲ୍ଲା ଚାଲିଥିଲା । ନବ ଦାସ ଘଟଣାରେ ବିଜେଡି ସରକାର ବିରୋଧରେ ସ୍ଲୋଗାନରେ ଗୃହ କମ୍ପିଥିଲା । ହଟ୍ଟଗୋଳ ଭିତରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିଥିଲେ । ଏହାସହିତ ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ । ପରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।