ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଆଜି ଚତୁର୍ଥ ଦିନ । ଗୃହକାର୍ଯ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କଲେ ବିରୋଧି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ କଂଗ୍ରେସ ଦଳ ସଦସ୍ୟ ପୋଡିୟମ ତଳେ ନାରାବାଜି କରିଥିଲେ । ବିରୋଧିଙ୍କ ହଙ୍ଗାମା ପାଇଁ ଚାଲି ପାରିଲାନି ପ୍ରଶ୍ନକାଳ । ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ପୂର୍ବାହ୍ନ ସାଢେ ୧୧ଟା ଯାଏଁ ବିଧାନସଭା ମୁଲତବୀ ରଖାଯାଇଛି ।
ପ୍ରକାଶଥାଉ କି, ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଜି ବିଧାନସଭାରେ ରାଜ୍ୟ ବଜେଟ ଆଗତ ହେବ । ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ । ଏହି ବଜେଟ ବିଜେଡି ସରକାରଙ୍କ ୫ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ଲୋକାଭିମୁଖୀ ବଜେଟ ଆଣିବେ ବୋଲି ଆଶା କରାଯାଉଛି । ବଜେଟରୁ ଫାଇଦା ପାଇଁ ସବୁ ବର୍ଗର ଲୋକେ ଆଶାବାଦୀ ଅଛନ୍ତି । ସେହିପରି ବଜେଟର ପରିମାଣ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ପୂର୍ବ ଆର୍ଥିକ ବର୍ଷରେ ଏହା ୨ ଲକ୍ଷ କୋଟି ଥିଲା ।
ଏହାମଧ୍ୟ ପଢନ୍ତୁ: Odisha Budget: ଆଜି ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ