ଭୁବନେଶ୍ବର:ରାଜଧାନୀରେ ପୋଲିସକୁ ଆକ୍ରମଣ । ବିଚ୍ ରାସ୍ତାରେ କନଷ୍ଟେବଳକୁ ମାଡ ମାରିଲେ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ । ଡ୍ୟୁଟିରେ ଥିବା କନେଷ୍ଟବଳଙ୍କୁ ତଳେ ପକାଇ ମାଡ ମାରିବା ସହ ୟୁନିଫର୍ମ ଭିଡ଼ି ଆକ୍ରମଣ କଲେ ବିଏସଏଫ ଯବାନ । ଗାଡି ସାଇଟ କରିବାକୁ ନେଇ ସହିଦନଗର ଥାନା ଭିଏସଏସ ନଗର ରେଲୱେ କ୍ରସିଂ ନିକଟରେ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଏଥିରେ କନଷ୍ଟେବଳ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାରେ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଗିରଫ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ 12ଟା 30 ମିନିଟ ସମୟରେ ଭିଏସଏସ ନଗର ରେଲୱେ କ୍ରସିଂ ନିକଟରେ ଥିବା ମର୍ଟନ କାଉଣ୍ଟରରେ ଗ୍ରାହକଙ୍କ ଭିଡ ଜମିଥିଲା । ଏହି ସମୟରେ ଡ୍ୟୁଟିରେ ଥିବା କନେଷ୍ଟବଳ ମନୋଜ ବେହେରା ସେଠାରେ ପହଞ୍ଚିଥିଲେ । ରାସ୍ତା ଉପରେ ଅନେକ ଗୁଡିଏ ଗାଡି ଥିବାରୁ ସାଇଟ କରିବାକୁ ବିଏସଏଫର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ବାଳଙ୍କୁ କହିଥିଲେ । ଏହି ସମୟରେ ହଠାତ୍ ସେହି ବ୍ୟକ୍ତି ନିଜକୁ ଡିଏସପି କହି କନେଷ୍ଟବଳ ଜଣଙ୍କୁ ଚୁପ ରହିବାକୁ କହିଥିଲେ । ଏନେଇ କନଷ୍ଟେବଳ ଜଣଙ୍କ ଗହଳି ହୋଇଛି ଗାଡି ସାଇଟ କରନ୍ତୁ ବୋଲି କହିଥିଲେ ।
ଏଥିରେ ଉତକ୍ଷିପ୍ତ ହୋଇ ସଂଗ୍ରାମ ବିଶ୍ବାଳ ୟୁନିଫର୍ମରେ ଥିବା କନଷ୍ଟେବଳକୁ ଆକ୍ରମଣ କରି ମାଡ ମାରିଥିଲେ । ପରେ ତଳେ ପକାଇ ୟୁନିଫର୍ମ ଭିଡ଼ିଥିଲେ । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି କନେଷ୍ଟବଳଙ୍କୁ ବିଏସଏଫ ଯବାନଙ୍କ କବଳରୁ ଉଦ୍ଧାର କରିଥିଲେ । ଏହି ଘଟଣା ନେଇ ପୋଲିସ ଉକ୍ତ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟକୁ ଗିରଫ କରିଛି । ଆଇପିସି ଦଫା 307 ହତ୍ୟା ଉଦ୍ୟମ, 341 ଅବରୋଧ କରିବା ସତ୍ତ୍ବେ ଆକ୍ରମଣ, 326 ସର୍ବସାଧାରଣରେ ଆକ୍ରମଣ, 353 ସରକାରୀ କର୍ମଚାରୀଙ୍କୁ ବାଧା, 294 ସର୍ବସାଧାରଣରେ ଗାଳି ଗୁଲଜ, 332 ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଆଧାରରେ ଉକ୍ତ ବିଏସଏଫ କମାଣ୍ଡାଣ୍ଟକୁ ଗିରଫ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି ।