ଭୁବନେଶ୍ବର: ବିଏସଏଫର ୫୮ ତମ ସ୍ଥାପନା ଦିବସ (Formation Day of BSF) । ରାଇଜିଙ୍ଗ ଡେ ପାଳନ କରିଛି ସୀମା ସୁରକ୍ଷା ବଳ (Border Security Force) । ଏହି ଦିବସରେ ରାଜ୍ୟର ସୁରକ୍ଷା ଦିଗରେ ଶହୀଦ ହୋଇଥିବା ଯବାନଙ୍କୁ ସେମାନଙ୍କ ବଳିଦାନ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଦେଶର ସୁରକ୍ଷାକୁ ନେଇ ପ୍ରଥମ ସଶସ୍ତ୍ର ବାହିନୀ ରୂପେ ୧୯୬୫ ମସିହା ଡ଼ିସେମ୍ବର ୧ ତାରିଖରେ ଆରମ୍ଭ ହୋଇଥିଲା ବିଏସଏଫ । ଏହା ସୀମାର ସୁରକ୍ଷା ଦିଗରେ ସର୍ବଦା ପ୍ରେରୀତ ଥିବା ବେଳେ ୨୫ ଗୋଟି ବାଟାଲିଅନରେ ଗଠିତ ବିଏସଏଫ ବର୍ତ୍ତମାନ ୧୯୩ ବାଟାଲିଅନରେ ପହଞ୍ଚିଛି । ରାଜ୍ୟ ହେଉ ଅବା ଦେଶ ସୀମାର ସୁରକ୍ଷା ପାଇଁ ଏମାନେ ଅହୋରାତ୍ର ପାହାଡ ଝରଣା ହ୍ରଦ ପାରି ହୋଇ ବରଫ ସହ ପ୍ରତିଦିନ ବନ୍ଧୁ ସାଜି ଦେଶର ସୁରକ୍ଷା ପାଇଁ ଜାଗ୍ରତ ପ୍ରହରୀ ହୋଇ କାମ କରିଥାନ୍ତି । ସୀମାବର୍ତ୍ତୀ ଅପରାଧ ରୋକିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଉଦ୍ଧାର ଓ ନକ୍ସଲଙ୍କୁ କାବୁ କରିବା ଭଳି ଅନେକ ଜଟିଳ ଅପରାଧର ସମାଧାନ କରିଥାନ୍ତି । ଏହାସହ ନିର୍ବାଚନ ସମୟରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନାରେ ମଧ୍ୟ ନିୟୋଜିତ ହୋଇଥାନ୍ତି ।
ହେବାକୁ ଥିବା ପଦ୍ମପୁର ନିର୍ବାଚନରେ ମଧ୍ୟ ଏମାନଙ୍କର ଯୋଗଦାନ ରହିଛି । ଏହି ଅଞ୍ଚଳ ମାଓ ଅଧ୍ୟୁସିତ ଅଞ୍ଚଳ ହୋଇଥିବାବେଳେ ଶୃଙ୍ଖଳିତ ନିର୍ବାଚନ ପରିଚାନନା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ୩ କମ୍ପାନୀ ଯବାନ ଏଠାରେ ବିଏସଏଫ ପକ୍ଷରୁ ନିୟୋଜିତ ହୋଇଛନ୍ତି । କାରଣ ସର୍ବଦା ଏହି ଶସ୍ତ୍ରଧାରୀ ଯବାନଙ୍କୁ ମାଓବାଦୀଙ୍କର ଡର ରହିଥାଏ । ଖାଲି ସେତିକି ନୁହେଁ ଏମାନଙ୍କ ପ୍ରୟାସରେ ଗୁରୁପ୍ରିୟା ସେତୁ ବି ନିର୍ମାଣ ହୋଇପାରିଛି । ଯାହା ଦ୍ବାରା ବିଛିନ୍ନାଞ୍ଚଳର ୧୫୧ ଗ୍ରାମର ୩୦ ହଜାର ଲୋକ ଉପକୃତ ହୋଇଛନ୍ତି । ଆଉ ଏହି ବାଟାଲିଅନ ପାଇଁ ୨୦୨୦ ପରଠୁ ଆମ ରାଜ୍ୟ ଓଡ଼ିଶାରେ ଧୀରେ ଧୀରେ ମାଓବାଦୀଙ୍କ ପ୍ରକୋପ କମିଛି । ବିଶେଷ ଭାବେ ମାଲକାନଗିରି, କୋରାପୁଟ ସମେତ ରାୟଗଡା ନବରଙ୍ଗପୁରରେ ଏହି ବାଟାଲିଅନର ଯବାନ ନିୟୋଜିତ ରହିଥାନ୍ତି ।