ଭୁବନେଶ୍ବର: ନିଶା ବେପାରୀଙ୍କ ହବ୍ ପାଲଟିଛି ରାଜଧାନୀ । ନୂଆ ନୂଆ ଉପାୟରେ ନିଶା ବିକ୍ରି କରୁଛନ୍ତି ବେପାରୀ । ଅନଲାଇନ ପାର୍ସଲରେ ଚାଲିଥିଲା ନିଶା କାରବାର । ଏମିତି ଏକ ଗ୍ଯାଙ୍ଗକୁ ଧରିଛି କ୍ରାଇମବ୍ରାଞ୍ଚ ପୋଲିସ । ଦୁଇ ବର୍ଷ ଧରି ଫେରାର ଥିବା ଡ୍ରଗସ ବେପାରୀକୁ ଶେଷରେ କମିଶନରେଟ୍ ପୋଲିସ ହାତରେ ଧରା ପଡିଛି । ଖଣ୍ଡଗିରି ବାରି ଅଞ୍ଚଳରୁ ସୋମନାଥ ବାରିକକୁ ୧୦୫ଗ୍ରାମର ବ୍ରାଉନସୁଗାର ସହ ଗିରଫ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୧ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ସ୍ପେଶାଲ କ୍ରାଇମବ୍ରାଞ୍ଚ ୟୁନିଟ(SCU) ଅତିରିକ୍ତ ଡିସିପି ସଞ୍ଜୀବ ଶତପଥି ।
ADCP ସଞ୍ଜୀବ ଶତପଥି କହିଛନ୍ତି, ‘‘ବାଲେଶ୍ବର ବର୍ଡର ଓ ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର କାରବାର କରାଯାଉଛି । ଏନେଇ ଓଡ଼ିଶା ପୋଲିସ ସମେତ ଅବକାରୀ ଓ ଏନସିବି ଭଳି ସଂସ୍ଥାର କଡ଼ା ନଜର ରହିଛି । ବାରମ୍ବାର ପୋଲିସ ହାତରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ଯୋଗୁଁ ପୋଲିସ କଡ଼ା ନଜରୁ ବର୍ତ୍ତିବା ପାଇଁ ଏବେ ଡ୍ରଗସ ବେପାରି ନୂଆ ତରିକା ଆପଣାଇଛନ୍ତି । ଏନେଇ ସେମାନେ ଡ୍ରଗସ କାରବାର ପାଇଁ ହେଉଥିବା ଟଙ୍କା କାରବାର ୟୁପିଆଇ ବା ଆକାଉଣ୍ଟ ଜରିଆରେ କରୁଥିଲେ। ପରେ ବ୍ରାଉନସୁଗାର ସପ୍ଲାୟ ପାଇଁ ସେମାନେ ଇକମର୍ସ ଢାଂଚା ଆପଣାଇଛନ୍ତି । ବ୍ରାଉନସୁଗାରର ଏକ ପ୍ୟକେଟ ଇ କମର୍ସ ବା ଅନଲାଇନ ଡେଲିଭେରି କରୁଛନ୍ତି । ପ୍ୟାକେଟକୁ ବିଭିନ୍ନ ଜିନିଷ କହି ଦିଘାରୁ ଆସୁଥିବା ଟ୍ରକ ଡ୍ରାଇଭର ବା ବସ ଡ୍ରାଇଵରମାନଙ୍କୁ ଦେଇ ବରମୁଣ୍ଡାରୁ ପ୍ୟାକେଟ ରିସିଭ ପାଇଁ ଏକ କୋଡ଼ ଦେଉଛନ୍ତି । ଟ୍ରକର ଗାଡି ନମ୍ବର ଦେଖି ସେମାନଙ୍କ ପାଖକୁ ଯାଇ ସେମାନଙ୍କ ପାସକୋର୍ଡ କହିବା ପରେ ଡ୍ରାଇଭର ସେମାନେ ପଠାଇଥିବା ପ୍ୟାକେଟଟି ଦେଇ ଦେଉଛନ୍ତି । ଏଥିପାଇଁ ଡ୍ରାଇଭରମାନଙ୍କୁ କିଛି ଅର୍ଥ ଦେଇ ଏଭଳି ପ୍ରଲୋଭିତ କରି ଏଭଳି ଢଙ୍ଗରେ କାରବାର କରୁଛନ୍ତି ବେପାରୀ ।’’