ଖୋର୍ଦ୍ଧା:ଜମିଜମା ବିବାଦକୁ ନେଇ ବ୍ୟବସାୟୀଙ୍କୁ ବୋମା ମାଡ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମରେ ବୋମାମାଡ ହୋଇଥିବା ସୂଚନା । ବୋମାମାଡରେ କନ୍ତିଆ ଗ୍ରାମର ରଚିତ୍ରାନନ୍ଦ ସାମନ୍ତରାୟ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆଜି(ଶନିବାର) ସକାଳେ ବ୍ୟବସାୟୀ ରଚିତ୍ରାନନ୍ଦ ସାମନ୍ତରାୟଙ୍କ ଉପରକୁ ବୋମା ଫିଙ୍ଗିଥିଲେ ଦୁର୍ବୃତ୍ତ । ୩ରୁ ଅଧିକ ବୋମା ଫିଙ୍ଗିଥିବା ନେଇ କୁହାଯାଉଛି । ବାଇକରେ କିଛି ବ୍ୟକ୍ତି ଆସି ବୋମା ଫିଙ୍ଗିଥିବା କୁହାଯାଉଛି । ତେବେ ବୋମା ମାଡରେ ବ୍ୟବସାୟୀ ରଚିତ୍ରାନନ୍ଦ ସାମନ୍ତରାୟ ଗୁରୁତର ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକାଧିକ ଅଫୁଟା ବୋମା ଜବତ କରିଛି । ତେବେ ବୋମା ମାଡର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଜମିଜମା ବିବାଦକୁ ନେଇ ବୋମାମାଡ କରାଯାଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପ୍ରକୃତ କାରଣ ସାମ୍ନାକୁ ଆସିପାରିବ । ତେବେ ବର୍ତ୍ତମାନ ବ୍ୟବସାୟୀଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ବୋମା ମାଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।