ଭୁବନେଶ୍ବର: ବିଶ୍ୱ ଶ୍ରବଣ ଦିବସରେ ଦୁଇ ଶହ ଶ୍ରବଣବାଧିତଙ୍କୁ ଶ୍ରବଣ ସହାୟକ ଉପକରଣ ପ୍ରଦାନ କରିଛନ୍ତି ବଲିଉଡ ଗାୟିକା ଅନୁରାଧା ପଡୁ଼ୱାଲ । ଅନୁରାଧା ପଡୁ଼ୱାଲଙ୍କର ସମାଜ କଲ୍ୟାଣ ପ୍ରୟାସ ସୂର୍ଯ୍ୟୋଦୟ ଫାଉଣ୍ଡେସନ ଦ୍ୱାରା ଶ୍ରବଣବାଧିତଙ୍କୁ ମାଗଣାରେ ଶ୍ରବଣ ସହାୟକ ଉପକରଣ ପ୍ରଦାନ କରାଯାଇଛି । ଏହି ଅବସରରେ ଅନୁରାଧା ପଡୁ଼ୱାଲଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ ଶ୍ରବଣବାଧିତ କୁନିକୁନି ପିଲା ଓ ବରିଷ୍ଠ ନାଗରିକ ମାନଙ୍କୁ ଶ୍ରବଣ ସହାୟକ ଉପକରଣ ପ୍ରଦାନ କରିଛନ୍ତି । ଏହାସହ ଶ୍ରବଣ ସହାୟକ ଉପକରଣ ପ୍ରସ୍ତୁତିକାରୀ କମ୍ପାନୀ ୱାଇଡେକ୍ସ ଇଣ୍ଡିଆ ଏଥିରେ ସହଯୋଗ କରିଥିବା ବେଳେ ଶ୍ରବଣ ସମସ୍ୟା ଲୋକଙ୍କର ଯାଞ୍ଚ ଓ ପରୀକ୍ଷା କରିବା ପରେ ଶ୍ରବଣ ସହାୟକ ଉପକରଣ ପ୍ରଦାନ କରାଯାଇଛି । ଏହି ଅବସରରେ ପୁରୀର ମିଶନ ଓଡ଼ିଶାର ୩୦ ଜଣ ଶ୍ରବଣବାଧିତଙ୍କୁ ଶ୍ରବଣ ସହାୟକ ଉପକରଣ ଦିଆଯାଇଛି । ପୂର୍ବରୁ ୧୦୬ ଜଣ ଶ୍ରବଣବାଧିତଙ୍କୁ ଯାଞ୍ଚ ଓ ପରୀକ୍ଷା କରାଯାଇଥିବା ବେଳେ ଆଜି ୩୦ ଜଣଙ୍କୁ ଦିଆଯାଇଛି।
ସେହିପରି ଏହି ଅବସରରେ ଯୋଗ ଦେଇ ରାଜ୍ୟପାଳ ସୂର୍ଯ୍ୟୋଦୟ ଫାଉଣ୍ଡେସନର ପ୍ରୟାସକୁ ପ୍ରଶଂସା କରିବା ସହ ୱାଇଡେକ୍ସ ଇଣ୍ଡିଆ ଯେଭଳି ଦୃଢ ଶକ୍ତି ନେଇ ଶ୍ରବଣବାଧିତଙ୍କୁ ଉନ୍ନତମନର ଉପକରଣ ଯୋଗାଇ ତାଙ୍କୁ ଏକ ନୂଆ ଜୀବନ ପ୍ରଦାନ କରୁଛନ୍ତି ତାହାକୁ ମଧ୍ୟ ପ୍ରଶଂସା କରିଛନ୍ତି। ରାଜ୍ୟପାଳ ଆହୁରି କହିଛନ୍ତି ଯେ, "ହୋଲିରେ ଆମେ ସମସ୍ତେ ରଙ୍ଗର ହୋଲି ଖେଳୁଥିବା ବେଳେ ଆଜି ଏହି ଶ୍ରବଣବାଧିତଙ୍କୁ ଶୁଣିବାର ଉପକରଣ ଦେଇ ପ୍ରେମ୍ର ଫଗୁ ବାଣ୍ଟିଛନ୍ତି ଅନୁରାଧା ଆଉ ତାଙ୍କ ଅନୁଷ୍ଠାନ । ଏଥିପାଇଁ କୁନି କୁନି ପିଲାଙ୍କ ମୁହଁରେ ଯେଉଁ ହସ ଫୁଟିଛି ତାହା ସମସ୍ତଙ୍କୁ ଆଉ ମତେ ବି ବେଶ ଆନନ୍ଦ ଦେଇଛି । ଯାହା ସର୍ବଦା ପ୍ରଶଂସନୀୟ ଓ ଅନୁକରଣୀୟ ।"
ଅନ୍ୟପଟେ ଅନୁରାଧା କହିଛନ୍ତି, "ଶ୍ରବଣବାଧିତଙ୍କୁ ଶ୍ରବଣ ସହାୟକ ଉପହାର ଦେଇ ମୁଁ ବେଶ ଖୁସିଥିବା ବେଳେ ଆଗକୁ ଭାରତର ଅନେକ ଶ୍ରବଣବାଧିତଙ୍କୁ ଉପକରଣ ପ୍ରଦାନ କରି ସେମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବାର ପ୍ରୟାସ ଜାରି ରହିବ। ଆଜି ଶ୍ରବଣବାଧିତଙ୍କୁ ଯେଉଁ ଉପକରଣ ଶୁଣିବାକୁ ଦିଆଯାଇଛି ସେଥିରେ ସେମାନେ ଯେତେବେଳେ ଶବ୍ଦକୁ ସ୍ପଷ୍ଟ ଭାବେ ଶୁଣିପାରିବେ କ୍ଲାନ୍ତ ଦୂର ପାଇଁ ଗୀତ ବି ଶୁଣିପାରିବେ ସେତେବେଳେ ଆମର ପ୍ରୟାସ ସାର୍ଥକ ହେବ। ଏଥିପାଇଁ ସେ ୱାଇଡେକ୍ସ ଇଣ୍ଡିଆକୁ ଧନ୍ୟବାଦ ଦେଉଛି ।"