ଖୋର୍ଦ୍ଧା: ଆଉ କିଛିଦିନ ପରେ ଦେଶ ପାଳିବ 72ତମ ସ୍ବାଧୀନତା ଦିବସ । 1947 ମସିହା ଅଗଷ୍ଟ 15ରେ ଦେଶ ସ୍ବାଧୀନ ହୋଇଥିଲା । ତେବେ ଦେଶର ସ୍ବାଧୀନତା ପଛରେ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ ଥିଲା । ଇଂରେଜ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ମାହାତ୍ମା ଗାନ୍ଧୀ ସାରାଦେଶ ପରିଭ୍ରମଣ କରିବା ସହ ଅନେକ ସଂଗ୍ରାମ କରିଥିଲେ । ଗାନ୍ଧୀଜୀ ଓଡିଶାକୁ ମଧ୍ୟ ଅନେକ ବାର ଆସିଥିଲେ । ଏପରିକି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଡାକବଙ୍ଗଳା ଠାରେ ଅବସ୍ଥାନ କରୁଥିଲେ ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଫଳରେ ଏହି ଅଞ୍ଚଳରୁ ଅନେକ ଦେଶପ୍ରେମୀ ଦେଶ ସ୍ବାଧିନ ପାଇଁ ଲଢେଇ ରେ ସାମିଲ ହୋଇଥିଲେ । ଗାନ୍ଧୀଙ୍କ ଆହ୍ବାନରେ ପ୍ରେରଣା ପାଇ ବୋଲଗଡ ଅଞ୍ଚଳରେ ସମସ୍ତେ ପ୍ରାୟ ସୂତା କାଟି ବସ୍ତ୍ର ପରିଧାନ କଲେ । ଏମିତି ଅନେକ ଘଟଣା ଗାନ୍ଧୀ ଓ ବୋଲଗଡ ମଧ୍ୟରେ ଜଡିତ ଅଛି । ପରେ ବୋଲଗଡରେ ଉତ୍କଳମଣି ଖଦି କେନ୍ଦ୍ର ମଧ୍ୟ ସ୍ଥାପିତ ହେଲା । ଏହାସହ ବହୁ ଗାନ୍ଧୀ ସ୍ମୃତି ଏବେ ଏଇଠି ସାଇତା ହୋଇରହିଛି ।
ପ୍ରତିଦିନ ଗାନ୍ଧୀଙ୍କ ପୂଜା ହେବା ସହ ସ୍ଥାନୀୟ ଅଞ୍ଚଳରେ ଅନେକ ଗାନ୍ଧୀ ପ୍ରେମୀ ତଥା ଗାନ୍ଧୀବାଦୀ ଲୋକ ଅଛନ୍ତି । ତେବେ ଚଳିତ ବର୍ଷ ଗାନ୍ଧୀଜୀଙ୍କ 150 ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ସରକାର ରାଜ୍ୟରେ ଥିବା ସମସ୍ତ ଗାନ୍ଧୀ ସ୍ମୃତିସ୍ଥଳକୁ ‘ଗାନ୍ଧୀ ସର୍କିଟ ଡେଷ୍ଟିନେସନ’ ଭାବେ ମାନ୍ୟତା ଦେବା ସହ ରକ୍ଷଣା ବେକ୍ଷଣ କରିବେ । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଲା ବୋଲଗଡରରେ ଗାନ୍ଧୀ ୧୯୨୭ ଡିସେମ୍ବର ମାସ ୯,୧୦ ଓ ୧୧ରେ ରହିବା ସହ ଦେଶ ସ୍ବାଧିନତା ପାଇଁ ଏହିଠାରୁ ଏନେକ ନିଷ୍ପତ୍ତି ମଧ୍ୟ ନେଇଥିଲେ ।
ହେଲେ ଏହି ସ୍ମୃତିସ୍ଥଳକୁ ରାଜ୍ୟ ସରକାରଙ୍କ ଆଖି ପାଇଲା ନାହିଁ । ରାଜ୍ୟ ସାରା ଗାନ୍ଧୀପୀଠକୁ ମାନ୍ୟତା ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ବୋଲଗଡର ନା ନାହିଁ ସେଥିରେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ