ଫାର୍ମହାଉସରୁ 2 ଶ୍ରମିକଙ୍କ ମୃତଦେହ ଉଦ୍ଧାର ନିଆଳି:ବାଲିଅନ୍ତା ଥାନା ଭିଙ୍ଗାରପୁରରେ ଚାଞ୍ଚଲ୍ୟ । ବନ୍ଦ ଘରୁ ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର । ଦୁଇ ମୃତକ ମଇଁଷି ଫାର୍ମର କର୍ମଚାରୀ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ଦୁଇ ମୃତକ ହେଉଛନ୍ତି ନିଆଳି ଥାନା ଏକବେରୁଆଁ ପଞ୍ଚାୟତ ପଳସା ଗ୍ରାମର ସୁଶାନ୍ତ ଦାଶ ଓ ସିଠାଳୋ ପଞ୍ଚାୟତର ଜଗବନ୍ଧୁ ବେହେରା । ଉଭୟେ ଅଜୁ ବେହେରା ନାମକଙ୍କ ଜଣେ ବ୍ୟକ୍ତିଙ୍କ ମଇଁଷି ଫାର୍ମରେ କାର୍ଯ୍ୟ କରୁଥିଲେ ।
ଆଜି ସକାଳ ସମୟରେ ଭିଙ୍ଗାରପୁର ପଞ୍ଚାୟତ ଅଧିନସ୍ଥ ରାମଚନ୍ଦ୍ରପୁର କାଜ ନିକଟରେ ଏକ ବନ୍ଦ ଘରୁ ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି । ଦୁଇ ଶ୍ରମିକଙ୍କ ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ମୃତ୍ୟୁର କାରଣ ଖୋଜୁଛି । ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ-କାନ୍ଥ ଭାଙ୍ଗୁଥିବା ବେଳେ ବିମ୍ ପଡି ଚାଲିଗଲା ଶ୍ରମିକଙ୍କ ଜୀବନ
ମଇଁଷି ଫାର୍ମର ମାଲିକ ଅଜୁ ବେହେରାଙ୍କ ଘର ନିଆଳି ଅଞ୍ଚଳରେ । ସେ ଭୁବନେଶ୍ୱର ୟୁନିଟ 9ରେ ରହୁଥିବା ବେଳେ ମଇଁଷି ପାଳନ କରି ଦୁଗ୍ଧ ବ୍ୟବସାୟ କରୁଛନ୍ତି । ରାମଚନ୍ଦ୍ରପୁର କାଜରେ ତାଙ୍କର ଏକ ମଇଁଷି ଫାର୍ମ ରହିଛି । ମଇଁଷଙ୍କ ଯତ୍ନ ନେବା ପାଇଁ ସେ ମୃତକ ସୁଶାନ୍ତ ଏବଂ ଜଗବନ୍ଧୁଙ୍କୁ ଶ୍ରମିକ ଭାବରେ ନିୟୋଜିତ କରିଥିଲେ । ଗତକାଲି (ଗୁରୁବାର) ରାତିରେ ମଇଁଷିଙ୍କ ଦାୟିତ୍ଵ ସାରିବା ପରେ ଉଭୟ ଖାଇ ପିଇ ଶୋଇପଡିଥିଲେ । ଏହାପରେ ମାଲିକ ଅଜୁ ବିଳମ୍ବିତ ରାତି 12ଟା ସମୟରେ ଉଭୟଙ୍କୁ ଫୋନ କରିଥିଲେ, କିନ୍ତୁ ଦୁଇ ଜଣ ଶ୍ରମିକ କୌଣସି ଉତ୍ତର ଦେଇନଥିଲେ ।
ଏହା ମଧ୍ୟ ପଢନ୍ତୁ-ପାଇଖାନା ଟାଙ୍କି ନେଲା ଜୀବନ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
ଆଜି ସକାଳ ସମୟରେ ରାମଚନ୍ଦ୍ରପୁର କାଜ ଫାର୍ମହାଉସ ଘରେ ପହଞ୍ଚି କବାଟ ବାଡେଇଥିଲେ । କିନ୍ତୁ କବାଡ କେହି ନଖୋଲିବାରୁ ସେ ପିସିଆର ଏବଂ ବାଲିଅନ୍ତା ଥାନାକୁ ଖବର ଦେଇଥିଲେ । ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି । ସୁଶାନ୍ତ ଏବଂ ଜଗବନ୍ଧୁଙ୍କ ମୃତ୍ୟୁ କେମିତି ହେଲା ତାହା ଏବେ ସନ୍ଦେହ ଘେରରେ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛି । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛଦ ପାଇଁ ପଠା ଯିବା ନେଇ ସୂଚନା ରହିଛି । ଦୁଇ ଶ୍ରମିକକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଇଟିଭି ଭାରତ, ନିଆଳି