ଭୁବନେଶ୍ବର:କୋରାପୁଟରେ ଡଙ୍ଗା ବୁଡ଼ି 5 ଜଣଙ୍କ ମୃତ୍ୟୁ ଘଟଣା । ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ସୂଚନା ଅନୁସାରେ, ଗତକାଲି( ଗୁରୁବାର) ଏହି ଯାତ୍ରୀବାହି ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତାଳୀ ନଦୀରେ ଏକ ନୌକା ବୁଡ଼ିଯାଇଥିବାରୁ 5 ଜଣଙ୍କ ଜୀବନ ଯାଇଛି । ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଥିଲା । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନା ଅନୁସାରେ, ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ କୁଲାରସିଂ ପଞ୍ଚାୟତରେ ଏଭଳି ଅଘଟଣ ଘଟିଥିଲା । ତାନସିଂ ନିକଟସ୍ଥ ପାତାଳୀ ନଦୀରେ ଡଙ୍ଗା ବୁଡି ୫ ଜଣ ନିଖୋଜ ସୂଚନା ଆସିଥିଲା । ତାନସିଂ ଗ୍ରାମର ୩ ମହିଳା ଏବଂ ୨ ଜଣ ନାବାଳିକା ଏକ ଦେଶୀ ଡଙ୍ଗାରେ ବାଡେଲା ଗ୍ରାମକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ହେଲେ ବିବାହ ଭୋଜିରୁ ଫେରିବା ସମୟରେ ଡଙ୍ଗାଟି ପାତାଳୀ ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଥିଲା ।