ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ବୁଲା କୁକୁରଙ୍କ ଦୌରାତ୍ମ୍ୟ । ସଂଖ୍ୟା ବୃଦ୍ଧି ସାଙ୍ଗକୁ କୁକୁରଙ୍କ ଉତ୍ପାତରେ ଅତିଷ୍ଠ ହେଉଛନ୍ତି ଜନସାଧାରଣ । ଏଥିରେ ରୋକ ଲଗାଇବାକୁ ଯାଇ ବିଏମସି ବଡ଼ ପଦକ୍ଷେପ ନେଇଛି । ରାଜଧାନୀରେ ଖୁବଶୀଘ୍ର ଆରମ୍ଭ ହେବ କୁକୁର ଗଣନା । ଏହାସହ ସହରରେ ତ୍ବରାନ୍ବିତ ହେବ ଆନିମଲ ବାର୍ଥ କଣ୍ଟ୍ରୋଲ ବା ABC କାର୍ଯ୍ୟକ୍ରମ । ଉଭୟ କାର୍ଯ୍ୟ ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯିବ । କୁକୁର ଗଣନା କ୍ଷେତ୍ରରେ ରାଜ୍ୟରେ ଏହା ହେବ ପ୍ରଥମ ।
ସହରରେ କୁକୁରଙ୍କ ସଂଖ୍ୟା ବଢୁଥିବା ବେଳେ ଦିନକୁ ଦିନ ସେମାନେ ଅଧିକ ହିଂସ୍ର ହେଉଛନ୍ତି । ତେଣୁ ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ବିଏମସି ଏହି ପଦକ୍ଷେପ ନେଇଛି । ଆନିମଲ୍ ବାର୍ଥ କଣ୍ଟ୍ରୋଲ ବା ପଶୁ ଜନ୍ମ ନିୟନ୍ତ୍ରଣ ନିୟମ ୨୦୦୧ ଅନୁଯାୟୀ କୁକୁରଙ୍କ ଗଣନା ଜରୁରୀ ହୋଇଥିବାରୁ ଖୁବଶୀଘ୍ର ଗଣନା ଆରମ୍ଭ ହେବ । ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ବରରେ କୁକୁରଙ୍କ ସଂଖ୍ୟା ଗଣନା ପାଇଁ ଅଣ୍ଟା ଭିଡିଛି ବିଏମସି । ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୩ ହଜାର କୁକୁର ଥିବା ଆକଳନ କରାଯାଇଛି । ପୂର୍ବରୁ ଦକ୍ଷିଣ ଦିଲ୍ଲୀ ଓ ଅହମ୍ମଦାବାଦରେ କୁକୁରଙ୍କ ଗଣନା କରାଯାଇଛି । ଏବେ ଭୁବନେଶ୍ବରରେ ଘରୋଇ ସଂସ୍ଥା ଜରିଆରେ ପ୍ରତି ଓ୍ବାର୍ଡ ଓ ସାହିରେ କୁକୁରଙ୍କ ଗଣନା କରାଯିବାକୁ ଯୋଜନା କରିଛି ବିଏମସି । କୁକୁରଙ୍କ ଦୌରାତ୍ମ୍ୟ ଉପରେ ରୋକ ଲଗାଇବାକୁ ବିଏମସି ନେବାକୁ ଯାଉଥିବା ବିଭିନ୍ନ ପଦକ୍ଷେପକୁ ସାଧାରଣରେ ସ୍ବାଗତ କରାଯାଇଛି ।
ଏଥିସହ ABC କାର୍ଯ୍ୟକ୍ରମ ପାଇଁ ମଞ୍ଚେଶ୍ବରରେ ଅତ୍ୟାଧୁନିକ ତଥା ବୃହତ ଷ୍ଟାରିଲାଇଜ କେନ୍ଦ୍ର ଖୋଲିବା ନେଇ ବିଏମସି ଯୋଜନା କରୁଥିବା କହିଛି । ଯେଉଁଠି ଦୈନିକ ୧୫୦ କୁକୁରଙ୍କର ଏକାସଙ୍ଗେ ବନ୍ଧ୍ୟାକରଣ ହୋଇପାରିବ । ଏହା ହେଲେ ଦେଢ ବର୍ଷ ମଧ୍ୟରେ କୁକୁରଙ୍କ ଜନ୍ମ ଉପରେ ନିୟନ୍ତ୍ରଣ ଲାଗିପାରିବ ବୋଲି ବିଏମସି ଲକ୍ଷ୍ୟ ରଖିଛି । ଏଥିପାଇଁ ମହାରାଷ୍ଟ୍ରର ଭାଟ୍ସ ଫର ଆନିମଲ ନାମକ ଏକ ଘରୋଇ ସଂସ୍ଥା ସହିତ ଚୁକ୍ତି ସ୍ବାକ୍ଷର କରିଛି ବିଏମସି । ପ୍ରତି କୁକୁରଙ୍କୁ ଧରିବା, ବନ୍ଧ୍ୟାକରଣ କରିବା, ଟିକାକରଣ ଓ ଚିକିତ୍ସା ପାଇଁ ୧୬୫୦ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ ।
ରାଜଧାନୀରେ ଉଭୟ ପୋଷା ଓ ବୁଲା କୁକୁରଙ୍କୁ ନେଇ ବିଏମସି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ପୋଷା କୁକୁର ଲାଗି ପେଟ୍ ବାଇ-ଲ ଜାରି ହେବାକୁ ଥିବାବେଳେ ବୁଲା କୁକୁର ବନ୍ଧ୍ୟାକରଣକୁ ତ୍ବରାନ୍ବିତ କରିବାକୁ ଗରୁତ୍ବ ଦିଆଯାଉଛି । ବୁଲାକୁକୁର ବନ୍ଧ୍ୟାକରଣ ହାର ବଢାଇବା ସହ ଅନ୍ୟାନ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରାଯିବାକୁ ସ୍ବତନ୍ତ୍ର ହସ୍ପିଟାଲର ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମଞ୍ଚେଶ୍ବରରେ ପରିତକ୍ତ ଅବସ୍ଥାରେ ପଡ଼ି ରହିଥିବାବା ଏକ ଲେଡିଜ୍ ହଷ୍ଟେଲର ୧୮ କୋଠରୀକୁ ନୂଆ ରୂପ ଦିଆଯାଉଛି । ଖୁବଶୀଘ୍ର ଏହାର ପୁନର୍ବିକାଶ କାମ ଶେଷ କରାଯାଇ ବୁଲା କୁକୁରଙ୍କ ସାମୁହିକ ବନ୍ଧ୍ୟାକରଣ ବଢ଼ାଇବାକୁ ବିଏମସି ଗରୁତ୍ବ ଦେଇଥିବା ବିଭାଗୀୟ ଉପାୟୁକ୍ତ ରମେଶ ଜେନା କହିଛନ୍ତି । ପୁଣିଥରେ କୁକୁର ଗଣନା ହେବା ସହ ସର୍ଭେ ଶେଷ ପରେ ବିଏମସି ଆବଶ୍ୟକ ପଦକ୍ଷେପ ନେବ ।