ଭୁବନେଶ୍ବର:ବର୍ଜ୍ୟ ପରିଚାଳନା ପାଇଁ ବିଏମ୍ସି ସହିତ ହାତ ମିଶାଇଲେ ଓୟୁଏଟି କର୍ତ୍ତୃପକ୍ଷ । ଏନେଇ ବିଏମ୍ସିକୁ ଦେଲେ ୨.୫ ଏକର ଜମି । ଏହି ଅନୁବନ୍ଧିତକୁ ନେଇ ଏଣିକି ବର୍ଜ୍ୟ ପରିଚାଳନା କରିବ ବିଏମ୍ସି ଏବଂ ଜୈବସାର ଗବେଷଣା କରିବ ଓୟୁଏଟି । ତେବେ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ଅଧିନିୟମ ୨୦୧୬କୁ ଭିତ୍ତି କରି ଭୁବନେଶ୍ୱର ମହାନଗର ନିଗମ ସହରକୁ ବର୍ଜ୍ୟମୁକ୍ତ କରିବା ଏବଂ ସ୍ଥାନିକ ବର୍ଜ୍ୟ ପରିଚାଳନାକୁ ଆଗେଇ ନେବା ଦିଗରେ କାର୍ଯ୍ୟ କରୁଛି । ଏହାକୁ ନେଇ ଏଯାବତ୍ ୩୪ ଗୋଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଏବଂ ୧୮ ଗୋଟି ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟ କାର୍ଯ୍ୟକାରୀ କରିସାରିଛନ୍ତି ।
ଏତଦ୍ ବ୍ୟତୀତ ବର୍ଜ୍ୟ ପରିଚାଳନା ପାଇଁ ଆଧୁନିକ ତଥା ବିକାଶ ମୂଳକ ପଦକ୍ଷେପ ନେଉଛନ୍ତି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ । ଏହି କାର୍ଯ୍ୟକୁ ଆଗେଇ ନେବାରେ ଏକ ନୂତନ ପଦକ୍ଷେପ ସ୍ୱରୂପ ଓଡିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି(ଓୟୁଏଟି) ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ବିଏମ୍ସି କର୍ତ୍ତୃପକ୍ଷ । ଏନେଇ ଓୟୁଏଟି ବିଏମ୍ସିକୁ ୨.୫ ଏକର ଜମି ଦେବ । ସେହିପରି ଏହି ବୁଝାମଣାରେ ବିଏମ୍ସି ପକ୍ଷରୁ ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର କରାଯାଇ ସଂଲଗ୍ନ ଅଞ୍ଚଳରୁ ବର୍ଜ୍ୟ ସଂଗ୍ରହ ଏବଂ ପ୍ରକ୍ରିୟାକରଣ କରାଯିବ । ଯାହାର ସଂପୂର୍ଣ୍ଣ ଖର୍ଚ୍ଚ ବହନ କରିବ ବିଏମ୍ସି ।