ଭୁବନେଶ୍ବର:ରାଜ୍ୟରେ ମୌସୁମୀ ଆସିବା ପୂର୍ବରୁ ବିଏମସିକୁ ଜଳବନ୍ଦୀ ଚିନ୍ତା । ସହରରେ ତୁରନ୍ତ ଡ୍ରେନ୍ ସଫା କାମ ସାରିବାକୁ କଡ଼ା ତାଗିଦ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ସପ୍ତାହେ ମଧ୍ୟରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଥିବା ସମସ୍ତ ମୁଖ୍ୟ ଡ୍ରେନ ସହ ଶାଖା ଡ୍ରେନଗୁଡିକ ସଫା କରିବାକୁ ସମସ୍ତ ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟ ପରିସରସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ମୌସୁମୀର ପୂର୍ବ ପ୍ରସ୍ତୁତି ବୈଠକରେ ଏନେଇ ଆଲୋଚନା ହୋଇଛି ।
ବୈଠକରେ ମେୟର କହିଛନ୍ତି, କେତେକ ୱାର୍ଡରେ ଶତ ପ୍ରତିଶତ ଡ୍ରେନ ସଫା ହୋଇସାରିଥିବା ବେଳେ କେତେକ ୱାର୍ଡରେ ୯୦ ଓ ଆଉ କେତେକ ୱାର୍ଡରେ ୬୦ରୁ ୮୦ ପ୍ରତିଶତ ଡ୍ରେନ୍ ସଫା ହୋଇସାରିଛି । ବାକି ଥିବା ଡ୍ରେନଗୁଡିକୁ ମୌସୁମୀ ବର୍ଷା ଆସିବା ପୂର୍ବରୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଜେନ୍ସିଗୁଡିକ ମଧ୍ୟ ଆସନ୍ତା ୭ ଦିନ ମଧ୍ୟରେ ଅଧିକ ଲୋକ ଲଗାଇ ଡ୍ରେନଗୁଡିକୁ ସଫା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟରେ କର୍ପୋରେଟରମାନେ ସହଯୋଗ କରିବାକୁ ମେୟର କହିଛନ୍ତି ।
ସୂଚନାଥାଉ କି, ବର୍ତ୍ତମାନ ବିଏମସି ଅଞ୍ଚଳରେ ୭୭ କିଲୋମିଟର ବିଶିଷ୍ଟ ୧୦ଟି ମୁଖ୍ୟ ଡ୍ରେନ୍ ରହିଛି । ସେହିପରି ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରେ ପ୍ରାୟ ୯୨୫ କିଲୋମିଟର ଶାଖା ଡ୍ରେନ୍ ଅଛି । ସେଗୁଡିକ ମଧ୍ୟରୁ ଅନେକ ସଫା ହୋଇସାରିଛି । ବାକିଥିବା ଡ୍ରେନଗୁଡିକରୁ ପଙ୍କୋଦ୍ଧାର କରିବା ସହ ବାହାରୁଥିବା ପଙ୍କକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମେୟର । ସପ୍ତାହେ ମଧ୍ୟରେ ଡ୍ରେନ୍ ସଫା ନକଲେ ସମ୍ପୃକ୍ତ ଏଜେନ୍ସି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି କେତେକ ମୁକୁଳା ଡ୍ରେନ୍ ପାର୍ଶ୍ବରେ ବ୍ୟାରିକେଡ ନଥିବା ବେଳେ ବ୍ୟାରିକେଡ ନିର୍ମାଣ କରିବାକୁ କୁହାଯାଇଛି । ବର୍ଷା ସମୟରେ ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି ।