ଓଡିଶା

odisha

ETV Bharat / state

ଭିକାରୀ ମୁକ୍ତ ହେବ ଭୁବନେଶ୍ୱର, ବିଏମସି ତରଫରୁ ଚାଲିଛି ଜୋରଦାର ପ୍ରୟାସ

ଭୁବନେଶ୍ୱରକୁ ଭିକାରୀ ମୁକ୍ତ କରିବାକୁ ରାଜଧାନୀରେ ଯଥେଷ୍ଟ ସ୍ଥାନ ରହିଛି। ଭିକ୍ଷୁକ ଥଇଥାନ କେନ୍ଦ୍ର ବା ଭିକାରୀ ପୁନର୍ବାସ କେନ୍ଦ୍ରରେ ଭିକାରୀଙ୍କୁ ଧଇଥାନ କରାଯାଉଛି। ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 23, 2023, 7:43 AM IST

Etv Bharat
Etv Bharat

ଭିକାରୀ ମୁକ୍ତ ହେବ ଭୁବନେଶ୍ୱର

ଭୁବନେଶ୍ବର:ଭିକାରୀ ମୁକ୍ତ ହେବ ଭୁବନେଶ୍ୱର । ରାଜଧାନୀରେ ଭିକ ମାଗି ପାରିବେନି କୌଣସି ବ୍ୟକ୍ତି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବିଏମସି ଅଣ୍ଟା ଭିଡିଥିବା ବେଳେ ବର୍ତ୍ତମାନ ଜାଗାର ଅଭାବ ନଥିବା କହିଛନ୍ତି ବିଏମସି କମିଶନର । ଭିକାରୀ ମୁକ୍ତ ରାଜଧାନୀ ପାଇଁ 2ରୁ 3 ପଦକ୍ଷେପ ନିଆଯାଇଛି। ରାଜଧାନୀରୁ ଉଦ୍ଧାର ହେଉଥିବା ଭିକାରୀମାନଙ୍କୁ ରଖିବା ପାଇଁ ଭିକ୍ଷୁକ ଥଇଥାନ କେନ୍ଦ୍ର ବା BRC ତିଆରି କରାଯାଇଛି । ଏହା SSEPD ଡିପାର୍ଟମେଣ୍ଟ ତରଫରୁ ଅନୁମତି ସହ ଆଲଟମେଣ୍ଟ ହୋଇଛି । ଯେଉଁଠି ୨ଶହରୁ ଊର୍ଦ୍ଧ୍ବ ଘର ନିର୍ମାଣ ସରିଛି । ଯେଉଁମାନେ ରହିବେ ସେମାନଙ୍କ ରହିବା, ଖାଇବା ଓ ସ୍ବାସ୍ଥ୍ଯର ଧ୍ୟାନ ନେବ ବିଏମସି । ଏହାସହ ଜୋନ ଅନୁସାରେ ୩ଟି ଟିମ ଗଠନ କରାଯାଇଛି । ସ୍ଥାନୀୟ ବିଏମସି କର୍ମଚାରୀ ଯେଉଁ ଏନଜିଓ ସଂସ୍ଥାକୁ କାର୍ଯ୍ୟ ଦେଇଛି ସେମାନଙ୍କ ଲୋକ ଓ ପୋଲିସ ଏହା ଉପରେ ଧ୍ୟାନ ଦେଇ କାର୍ଯ୍ୟ କରୁଛନ୍ତି । ଯେଉଁମାନେ ଉଦ୍ଧାର ହେବେ ସେମାନଙ୍କ କିଛିଦିନ ଭିକାରୀ ପୁନର୍ବାସ କେନ୍ଦ୍ରରେ ରଖାଯାଇ, ତାଙ୍କ ନିଜ ଘରକୁ ପଠାଇବାକୁ ଲକ୍ଷ୍ୟ ରଖାଯାଇଛି । ଶୀତ ଦିନେ ଯେଉଁମାନେ ବାହାରେ ରହୁଛନ୍ତି ସେମାନଙ୍କୁ ଆଶ୍ରୟ ସ୍ଥଳୀକୁ ନିଆଯିବା ପାଇଁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବିଏମସି କମିଶନର ।

ବିଏମସି କମିଶନର ଆହୁରି ମଧ୍ୟ କହିଛନ୍ତି ଯେ,"ଏହି କାର୍ଯ୍ୟକୁ ତ୍ଵରାନ୍ବିତ କରିବା ପାଇଁ ବିଏମସି ଟାର୍ଗେଟରେ ଟ୍ରାଫିକ ପୋଷ୍ଟ, ରେଲୱେ ଷ୍ଟେସନ, ବସ ଷ୍ଟାଣ୍ଡ। ଏହି ସ୍ଥାନ ମାନଙ୍କରେ ଯେଉଁମାନେ କିଛି ସେଲିଙ୍ଗ କରିବା ବାହାନାରେ ଭିକ୍ଷାବୃତ୍ତି କରୁଛନ୍ତି, ଛୋଟ ପିଲାମାନଙ୍କୁ ଏଥିରେ ଲଗାଉଛନ୍ତି, ସେମାନଙ୍କ ଉପରେ ସ୍ୱତନ୍ତ୍ର ଟିମ୍‌ ନଜର ରଖୁଛି । ହେଲେ ସେମାନଙ୍କୁ ଧରିବାକୁ ଟିମ୍‌ ଗଲାବେଳକୁ ସେମାନେ ଅନ୍ୟ ଜାଗାକୁ ଗାୟବ ହେଉଯାଉଛନ୍ତି । ତେଣୁ ସେମାନଙ୍କ ଉପରେ ଏବେ ଅଧିକ ଦୃଷ୍ଟି ଦିଆଯାଉଛି ।"
ଏହା ମଧ୍ୟ ପଢନ୍ତୁ-ଭିକାରୀ ମୁକ୍ତ ହେବ ରାଜଧାନୀ, ନଜର ରଖିବ ସ୍କ୍ବାଡ୍‌

ସେପଟେ ଭିକାରିମୁକ୍ତ ରାଜଧାନୀକୁ ନେଇ ପୁଣି ବିଏମ୍‌ସିକୁ ପ୍ରଶଂସାରେ ପୋତି ପକାଇଛନ୍ତି କେନ୍ଦ୍ର ସରକାର । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ପକ୍ଷରୁ ଭିକାରୀ ମୁକ୍ତ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଉଚ୍ଚ ପ୍ରସଂଶା କରାଯାଇଛି । ନିକଟରେ ବଞ୍ଜରା ସଂପ୍ରଦାୟର ଭିକାରୀମାନଙ୍କୁ ବୁଝାସୁଝା କରି ସେମାନଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି । ତଥାପି ଲୁଚିଛପି ରହିଥିବା ଅନ୍ୟ ବଞ୍ଜରାମାନଙ୍କୁ ଠାବ କରି ସେମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇଦେବା ପାଇଁ ବିଏମ୍‌ସି ପକ୍ଷରୁ ଉଦ୍ୟମ ଜାରି ରହିଛି ।

ସୂଚନା ଯୋଗ୍ୟ କି, ରାଜଧାନୀରେ ବଞ୍ଜରା ସଂପ୍ରଦାୟର ବହୁ ଲୋକ ଭକ୍ଷାବୃତି କରି ଜୀବନ ନିର୍ବାହ କରୁଥିଲେ । ଏମାନେ ମୁଖ୍ୟତଃ ବିଭିନ୍ନ ଟ୍ରାଫିକ ଛକରେ ଛୋଟ ପିଲାଙ୍କୁ ଧରି ପେନ୍‌, ଫୁଲ, ବେଲୁନ୍‌, ଆଦି ବିକ୍ରି କରିବା ସହ ଭିକ୍ଷାବୃତି କରିଥାଆନ୍ତି । ଫଳରେ ସେମାନଙ୍କ ପାଇଁ ଅନେକ ସମୟରେ ଲୋକମାନେ ଅସୁବିଧାରେ ପଡୁଛନ୍ତି । ସୁସ୍ଥ ସବଳ ଥାଇ ମଧ୍ୟ ସେମାନେ କୌଣସି କାମ ନ କରି ଭିକ୍ଷା ଭଳି ଏକ ସହଜ ବୃତ୍ତିକୁ ଆପଣାଇ ନେଇଛନ୍ତି । ସେହିମାନଙ୍କୁ ବୁଝାସୁଝା କରି ବିଏମ୍‌ସି ସେମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାରେ ଲାଗିଛି ।

ତେଣୁ ବିଏମ୍‌ସି ଏବେ ପ୍ରତିଦିନ ବିଭିନ୍ନ ମନ୍ଦିର ଓ ଜନ ଗହଳିସ୍ଥାନଗୁଡିକରୁ ଭିକାରୀମାନଙ୍କୁ ଉଦ୍ଧାର କରି ଥଇଥାନ କେନ୍ଦ୍ରରେ ରଖୁଛି । ଫଳରେ ଏବେ ଆଉ ବିଭିନ୍ନ ମନ୍ଦିର ସମ୍ମୁଖରେ ଭିକାରୀମାନଙ୍କୁ ଦେଖିବାକୁ ମିଳୁ ନାହିଁ । ଫଳରେ ଦର୍ଶନାର୍ଥି ଭକ୍ତ ନିରାପଦରେ ଯାଇ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ବିଏମ୍‌ସିର ଏବେ ୫ଟି ଭିକାରୀ ଥଇଥାନ କେନ୍ଦ୍ର ରହିଛି । ଅନ୍ଧାରୁଆରେ ୩ଟି, ନୀଳାଦ୍ରି ବିହାରରେ ଗୋଟିଏ ଏବଂ ରଙ୍ଗ ବଜାରରେ ଗୋଟିଏ କେନ୍ଦ୍ର ରହିଛି । ପ୍ରତି କେନ୍ଦ୍ରରେ ୧୦୦ ଜଣ ଲେଖାଏଁ ଭିକାରୀ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଇଁ ବିଦ୍ୟୁତ୍, ପାଇଖାନା, ପାନୀୟ ଜଳ, ଖାଦ୍ୟପେୟ ଆଦି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ୪ଟି ସ୍ୱେଚ୍ଛାସେବୀ ସଂଗଠନ ଏହି ସବୁ କେନ୍ଦ୍ରଗୁଡ଼ିକର ପରିଚାଳନା ଭାର ନେଇଛନ୍ତି । ଅପରପକ୍ଷେ ଯେଉଁମାନେ ପାରିବାରିକ କଳହ କିମ୍ବା ମାନସିକ ବକୃତି କାରଣରୁ ଘର ଛାଡି ଏଠାରେ ଭକ୍ଷାବୃତି କରୁଛନ୍ତି, ବିଏମ୍‌ସି ସେମାନଙ୍କ ପରିବାର ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କରିବା ସହ ପରିବାର ଲୋକଙ୍କ ଜିମା ଦେଇଆସୁଛନ୍ତି । ତେବେ ଭୁବନେଶ୍ୱରକୁ ସମ୍ପୂର୍ଣ୍ଣ ଭିକାରୀ ମୁକ୍ତ କରିବା ପାଇଁ ଗୋଷ୍ଠୀ ସହ ଯୋଗ ନିହାତି ଆବଶ୍ୟକ ବୋଲି କହିଛନ୍ତି ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details