ଭୁବନେଶ୍ବର: ଘର ଆଗରେ ଅଳିଆ ପକାଇଲେ ଆଉ ମିଳିବନି ନିସ୍ତାର । ଏଣିକି ଅଳିଆ ଜମାକାରୀଙ୍କଠାରୁ ମୋଟା ଅଙ୍କର ଫାଇନ କାଟିବ ବିଏମ୍ସି । ଏନେଇ ବିଏମସି ପକ୍ଷରୁ ଗଠନ ହୋଇଛି ଟିମ୍ ସାଇନ । ଗାଡ଼ି ଧରି ଘର ଘର ବୁଲିବେ ସାଇନ ଟିମ୍ ସଦସ୍ୟ । ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ଚାରିଚକିଆ ଗାଡ଼ି ପ୍ରଦାନ ହୋଇଥିବା ବେଳେ ୫୦ ଜଣ ସଦସ୍ୟଙ୍କୁ ବିଏମ୍ସି ତାଲିମ ଦେଇଛି ।
ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟତା ଦିଗରେ ବିଏମସିର ଆଉ ଏକ ପଦକ୍ଷେପ । ଭୁବନେଶ୍ୱରରେ ଗଠନ ହେଲା ଟିମ ସାଇନ। ଆଜି ଏହାର ଉଦଘାଟନ ହୋଇଥିବା ବେଳେ ସାଇରନ ବଜାଇ ଏହି ଟିମ୍ ଆରମ୍ଭ କରିଥିଲେ ଯାତ୍ରା । ଟିମ୍ ସାଇନ୍ରେ ସାମିଲ ହୋଇଛନ୍ତି ୫୦ ଜଣ ଉଭୟ ମହିଳା ଓ ପୁରୁଷ ସଦସ୍ୟ । ଏହି ଟିମ୍ ପ୍ରଥମେ ଲୋକଙ୍କୁ ସଚେତନ କରିବ । ଏକକ ବ୍ୟବହାର ପ୍ଲାଷ୍ଟିକର ବ୍ୟବହାର କମାଇବା, ଘର ଆଗରେ ଅଳିଆ ନପକାଇ, ସଫେଇ ଗାଡ଼ିକୁ ଅଳିଆ ଦେବା, ଘର ପାଖରେ ଜମା ହୋଇଥିବା ଅଳିଆକୁ ଫୋପାଡିବା ନାହିଁ, ଭଳି ସଚେତନତା ବାର୍ତ୍ତା ନେଇ ଘରଘର ବୁଲିବ ଏହି ଟିମ୍ । ଅମାନିଆଙ୍କଠୁ ମୋଟା ଅଙ୍କର ଫାଇନ ମଧ୍ୟ ଆଦାୟ କରିବ । ତେଣୁ ଆଜି ଟିମ୍ ସାଇନକୁ ବିଧିବଦ୍ଧ ଭାବେ ତାଲିମ ଦେବା ସହ ବିଏମସି ମେୟର ଶପଥ କରାଇଛନ୍ତି ।