ଓଡିଶା

odisha

By

Published : Apr 6, 2023, 10:33 AM IST

ETV Bharat / state

ଜାଗା ମିଶନ ନେଇ ବଢ଼ୁଛି ବିବାଦ, ତତ୍ପରତା ଦେଖାଇଲା ବିଏମସି

ଭୁବନେଶ୍ବରରେ ଜାଗା ମିଶନ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଚାରିଆଡ଼ୁ ଅଭିଯୋଗ ପରେ ଏନେଇ ବିଏମସି କାର୍ଯ୍ୟାଳୟରେ ଏକ ବୈଠକ ହୋଇଯାଇଛି । କିଭଳି ଭାବେ ଜାଗା ମିଶନରେ ଭୂମିହୀନ ମାନଙ୍କୁ ସ୍ୱଚ୍ଛତାର ସହ ଜମି ମିଳିବ ସେନେଇ ବିଏମ୍‌ସି ତତ୍ପରତା ଦେଖାଇଛି । ଅଧିକ ପଢ଼ନ୍ତୁ

ଜାଗା ମିଶନ ନେଇ ବଢ଼ୁଛି ବିବାଦ
ଜାଗା ମିଶନ ନେଇ ବଢ଼ୁଛି ବିବାଦ

ଜାଗା ମିଶନ ନେଇ ବଢ଼ୁଛି ବିବା

ଭୁବନେଶ୍ବର: ରାଜଧାନୀରେ ଥମୁନି ଜାଗା ମିଶନ ଝଡ । ସର୍ଭେ ତାଲିକାରୁ ବାଦ୍‌ ପଡିଥିବା ବସ୍ତି ବାସିନ୍ଦା କ୍ଷୋଭ ପ୍ରକାଶ କରୁଛନ୍ତି । ଏହାକୁ ନେଇ ଦିନକୁ ଦିନ ବଢିଚାଲିଛି ଅଭିଯୋଗର ଫର୍ଦ୍ଦ । ଆଉ ଏହି ଫର୍ଦ୍ଦରେ ସ୍ଲମ ଡେଭଲପ୍‌ମେଣ୍ଟ ଅଥରିଟି ବି ସାମିଲ ଥିବା କହିଛନ୍ତି ବସ୍ତିବାସିନ୍ଦା । କାରଣ ସେମାନେ ଟଙ୍କା ନେଇ ଯୋଗ୍ୟ ହିତାଧିକାରୀଙ୍କ ନାଁ କାଟିଦେଉଥିବା ମଧ୍ୟ ଅଭିଯୋଗ ଆସୁଛି । ଆଉ ବସ୍ତିବାସିନ୍ଦାଙ୍କ ଏହି ଅସନ୍ତୋଷ ପ୍ରକାଶକୁ ନେଇ ବିଏମ୍‌ସିରେ ହୋହଲ୍ଲା ପାଟିତୁଣ୍ଡ ଜାରି ରହିଛି । କାରଣ ଗୋଟିଏ କିମ୍ବା ଦୁଇଟି ୱାର୍ଡ ନୁହେଁ, ଭୁବନେଶ୍ବର ମହାନଗର ନିଗମର ଅଧିକାଂଶ ୱାର୍ଡରେ ଏହି ବିବାଦ ଦେଖିବାକୁ ମିଳିଛି ।

ସେ ଶାସକ ହେଉ ଅବା ବିରୋଧି, ସମସ୍ତ କର୍ପୋରେଟରଙ୍କ ପାଖରେ ଅଭିଯୋଗର ଲମ୍ବା ଫର୍ଦ୍ଦ । ଏନେଇ କର୍ପୋରେଟର ମାନେ ବିଏମ୍‌ସି କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ଆନ୍ଦୋଳନ କରି କରି କିଛି ସୁଫଳ ନମିଳିବାରୁ ମେୟର ଓ କମିଶନରଙ୍କୁ ଅଭିଯୋଗ ଜଣାଇଥିବା ବେଳେ ଏନେଇ ବିଏମ୍‌ସି କାର୍ଯ୍ୟାଳୟରେ ଏକ ବୈଠକ ହୋଇଯାଇଛି । ଯେଉଁଥିରେ ଜାଗା ମିଶନର ଅଭିଯୋଗ କର୍ପୋରେଟର ମାନେ ଖୋଲିଥିବା ବେଳେ ଏଥିରେ ବିରୋଧି ବିଜେପି ମଧ୍ୟ ବିଏମ୍‌ସିକୁ ଘେରିଥିଲା ।

କେବଳ ସେତିକି ନୁହେଁ, ଶାସକ ଦଳର କିଛି କର୍ପୋରେଟର ମଧ୍ୟ ବିଏମ୍‌ସିର ସର୍ଭେକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏନେଇ ବିଜେପି କର୍ପୋରେଟର ଜୀବନ ରାଉତ କହିଛନ୍ତି, "ବିଏମ୍‌ସିର ଜାଗା ମିଶନ ଯୋଜନା ସହରର ଭୂମିହୀନ ବାସିନ୍ଦାଙ୍କ ପାଇଁ ଏକ ପ୍ରହସନ ପାଲଟିଛି । ଆଉ ଏହାକୁ ନେଇ ଲୋକ ମାନଙ୍କ ଭାବାବେଗ ସହ ଖେଳୁଛନ୍ତି । କାରଣ ଆଜି ନୁହେଁ, ପୂର୍ବରୁ ମଧ୍ୟ ଆସି ବିଭିନ୍ନ ଯୋଜନା ମାଧ୍ୟମରେ ସର୍ଭେ କରି ଚାଲିଯାଇଛନ୍ତି । ପରେ କିନ୍ତୁ ସେହି ଯୋଜନା ମୁତାବକ ଲୋକଙ୍କୁ ଘର ହେଉ ଅବା ଜମି ମିଳୁନାହିଁ । ସର୍ଭେ ଶେଷ ହେବାପରେ ଏହା ବାଟମାରଣା ହେଇଯାଉଛି । ଆଉ ପ୍ରକୃତ ହିତାଧିକାରୀ ବଳି ପଡୁଛି ।

ବର୍ତ୍ତମାନ ଜାଗା ମିଶନରେ ଜମି ଦେବେ କହି ସର୍ଭେ କରିଥିବା ବେଳେ ସମାନ କାଗଜ ପତ୍ର ଥାଇ ମଧ୍ୟ ସମାନ ୱାର୍ଡରେ ଥିବା କିଛି ଲୋକଙ୍କର ତାଲିକାରେ ନାମ ଥିବା ବେଳେ କିଛି ଲୋକଙ୍କର ନାହିଁ । କେଉଁ କାରଣ ପାଇଁ ଏଭଳି ହେଉଛି ମେୟର, କମିଶନର ଓ ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ ଭଲ ଭାବେ ବୁଝାଇ ପାରୁନାହାନ୍ତି ।" ତେଣୁ କେବଳ ୨୦୨୪ ନିର୍ବାଚନ ପାଇଁ ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏହି ଜାଗା ମିଶନଙ୍କୁ ନେଇ ବସ୍ତିବାସିନ୍ଦା କହିଛନ୍ତି, "ଆମକୁ ବିଭିନ୍ନ ମିଶନ ମାଧ୍ୟମରେ ବିଏମ୍‌ସି ଜମି ବା ଘର ଦେବ ବୋଲି କହି ଭୁଆଁ ବୁଲାଉଛି । ଆସୁଛନ୍ତି, ସର୍ଭେ କରି ଚାଲିଯାଉଛନ୍ତି । କିନ୍ତୁ ଆମକୁ କିଛି ମିଳୁନାହିଁ । ନା ଘର ନା ଜମି । ବର୍ଷ ବର୍ଷ ଧରି ରହୁଥିଲେ ମଧ୍ୟ ବିଏମ୍‌ସିର ଯୋଜନାରେ ଆମେ ସାମିଲ ହୋଇପାରୁନୁ । ବର୍ତ୍ତମାନ ମଧ୍ୟ ଜାଗା ମିଶନରେ ସମାନ ସ୍ଥିତି । ଏଯାବତ ଜାଗା ମିଶନରେ ଆମର ନାଁ ନାହିଁ । କାରଣ ନିର୍ବାଚନ ବେଳେ ନେତା ସବୁ କରିଦେବି କହି ନିର୍ବାଚନ ସରିଗଲା ପରେ ଅନେକ ସମୟରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ପକାଇଦେଇ ବଡ଼ବଡ଼ିଆଙ୍କୁ ସୁବିଧା ସୁଯୋଗ ଦେଉଛନ୍ତି ।

କାରଣ ଯେଉଁ ମାନଙ୍କ ପାଖରେ ଟଙ୍କା ଅଛି, ସର୍ଭେରେ ଟଙ୍କା ଦେଇ ତାଙ୍କ ନାଁ ସାମିଲ କରିଦେଉଛନ୍ତି । ତେଣୁ ଯେ ପର୍ଯ୍ୟନ୍ତ ଜମି କି ଘର ମିଳିନାହିଁ, ଆମେ ଏହି ଜାଗା ଛାଡ଼ିବୁ ନାହିଁ ।" ଅନ୍ୟପଟେ ଚାରିଆଡୁ ବିରୋଧ ପରେ ଏବେ ବିଏମ୍‌ସିର ଚେତା ପଶିଛି । କେମିତି ଲୋକଙ୍କୁ ବୁଝାଇବେ ସେଥିପାଇଁ ମାନସମନ୍ଥନ ଆରମ୍ଭ ହୋଇଛି । ଏଣିକି ମହାନଗର ନିଗମରେ ଥିବା ସମସ୍ତ ବସ୍ତି ଗୁଡିକୁ ବିଏମ୍‌ସି ଅଧିକାରୀମାନେ ନିଜେ ପରିଦର୍ଶନ କରିବେ । ଜୋନାଲ ଡେପୁଟି କମିଶନର ଏବଂ ଏସ୍‌ଡିଏ କମିଟି ସଦସ୍ୟମାନେ ମିଳିତ ଭାବେ ବସ୍ତି ବୁଲି ଲୋକମାନଙ୍କୁ ବୁଝାଇବେ । ଏଥିସହ ତାଲିକାରେ ପ୍ରକାଶ ପାଇଥିବା ହିତାଧିକାରୀଙ୍କ ନାମରେ କୌଣସି ଅଭିଯୋଗ ଆସିଲେ ସେନେଇ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି ।

ଏନେଇ ମେୟର କହିଛନ୍ତି, "ଜାଗା ମିଶନ ସର୍ଭେରେ କୌଣସି ଚଞ୍ଚକତା ବା ପକ୍ଷପାତିତା କରାଯାଇ ନାହିଁ । ସମସ୍ତ ହିତାଧିକାରୀଙ୍କୁ ଏଥିରେ ସାମିଲ କରିବାକୁ ଚେଷ୍ଟା କରାଯାଉଛି । ତେଣୁ ଏହାର ଅଭିଯୋଗକୁ ନେଇ ପୁନଃ ତାଲିକାର ଯାଞ୍ଚ କରାଯିବ । ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ଦିବସରେ ୫୦ ହଜାର ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରାଯିବାର ଥିଲା । ତେଣୁ ପ୍ରାଥମିକତା ଭିତ୍ତିରେ କେତେକ ବସ୍ତିରୁ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା । ଯେଉଁମାନେ କି ସରକାରୀ ଜମିରେ ଘର କରି ରହୁଛନ୍ତି । ବାକି ଯେଉଁମାନେ ରେଲୱେ, ଜଙ୍ଗଲ ବିଭାଗ, ଶ୍ମଶାନ ଜମିରେ ରହୁଛନ୍ତି, ସେମାନଙ୍କୁ ସେଠାରେ ଏଲ୍‌ଆର୍‌ସି (ଲ୍ୟାଣ୍ଡ ରାଇଟ୍‌ ସାର୍ଟିଫିକେଟ୍‌) ଦିଆଯାଇ ପାରିବ ନାହିଁ । ତେଣୁ ସେମାନଙ୍କ ପାଇଁ ଅନ୍ୟସ୍ଥାନ ଚିହ୍ନଟ କରି ଜମି ପଟ୍ଟା ପ୍ରଦାନ କରାଯିବ । ତେଣୁ ନାମ କଟି ଯାଇଛି ବୋଲି ଯେଉଁମାନେ ଅଭିଯୋଗ କରୁଛନ୍ତି, ସେମାନେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।" କାରଣ ସମସ୍ତ ବସ୍ତିରେ ସର୍ଭେ କରାଯାଇ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ ବୋଲି ମେୟର କହିଛନ୍ତି । ତେଣୁ କିଭଳି ଭାବେ ଜାଗା ମିଶନରେ ଭୂମିହୀନ ମାନଙ୍କୁ ସ୍ୱଛତାର ସହ ଜମି ମିଳିବ ସେନେଇ ବିଏମ୍‌ସି ତତ୍ପରତା ଦେଖାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details