ଭୁବନେଶ୍ବର: ଦିନକ ପରେ ହିନ୍ଦୁ ଧର୍ମର ପବିତ୍ର ପର୍ବ କାର୍ତ୍ତିକ ପୂର୍ଣ୍ଣିମା । ଆଉ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ପୂର୍ବ ପରମ୍ପରା ଅନୁଯାୟୀ ନଦୀରେ ଡ଼ଙ୍ଗା ଭସା ଯାଇଥାଏ । ସଭିଏଁ ଏହି ପର୍ବକୁ ବେଶ ଧୂମଧାମରେ ପାଳନ କରିଥାନ୍ତି । ଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ଡଙ୍ଗା ଭସା ଫିକା ପଡିଥିବା ବେଳେ ଚଳିତ ବର୍ଷ ଡଙ୍ଗା ଭସାଇବା ପାଇଁ ନଦୀ ତଥା ପୋଖରୀ ଗୁଡିକରେ ଲୋକଙ୍କ ଭିଡ ଜମିବ ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବିନ୍ଦୁସାଗର, କୁଆଖାଇ ଓ ଦୟା ନଦୀ ପଠା ସମେତ ସହରର ବିଭିନ୍ନ ପ୍ରମୁଖ ଜଳାଶୟରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନଦୀ ପଠା ସହ ଘାଟର ସଫେଇ କରାଯାଇଛି । ଏଥି ସହ ଆକର୍ଷଣ ପାଇଁ ଆଲୋକି କରଣର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେପଟେ ଡଙ୍ଗା ଭସା ପରେ ଜଳାଶୟର ସଫେଇ ପାଇଁ ମଧ୍ୟ ବିଭିନ୍ନ ଠିକା ସଂସ୍ଥାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭୁବନେଶ୍ବର ମେୟର କହିଛନ୍ତି ।
ଏନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି, ''ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ଜଳାଶୟ ଗୁଡିକରେ ବୋଇତ ବନ୍ଦାଣ ହେବ । ତେଣୁ ଭୁବନେଶ୍ବରରେ ଯେଉଁ ପୋଖରୀ ଗୁଡିକରେ ବୋଇତ ବନ୍ଦାଣ ହୁଏ ସେହି ସ୍ଥାନ ଗୁଡିକୁ ବିଏମସି ତରଫରୁ ସଫେଇ କରାଯାଇଛି । ଚନ୍ଦ୍ର ଗ୍ରହଣ ଥିବାରୁ ପୂଜାବିଧି ବନ୍ଦ ରହିବ । ତେଣୁ ରାତିରେ କିଭଳି ଲୋକ ମାନେ ଡଙ୍ଗା ଭସାଇ ପାରିବେ ସେଥି ପ୍ରତି ଦୃଷ୍ଟି ଦିଆଯାଇଛି । ଆଲୋକି କରଣର ମଧ୍ୟ ବ୍ୟବସ୍ଥା କରାଯାଇଛି ।''