ଭୁବନେଶ୍ବର: କିଛି ଦିନ ବ୍ୟବଧାନରେ ପୁଣି ଆକାଶରେ ଦୃଶ୍ୟମାନ ହେବ ନୀଳଜହ୍ନ । ଆସନ୍ତା କୁମାର ପୂର୍ଣ୍ଣିମାରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ଏନେଇ ପଠାଣିସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଆଗାମୀ କୁମାର ପୂର୍ଣ୍ଣିମାରେ ଦୃଶ୍ୟମାନ ହେବ ବିରଳ 'ନୀଳ ଜହ୍ନ' ଆଗାମୀ ଅକ୍ଟୋବର 31 ତାରିଖରେ କୁମାର ଓ କୁମାରୀମାନଙ୍କର ଉତ୍ସବ କୁମାର ପୂର୍ଣ୍ଣିମା ପାଳିତ ହେବାକୁ ଯାଉଛି । ତେବେ ସେହି ଦିନ ଆକାଶରେ 'ବ୍ଲୁ ମୁନ୍' ବା 'ନୀଳ ଜହ୍ନ' ଦେଖାଯିବ। ତେବେ ଜହ୍ନର ନାମକରଣ ଅନୁସାରେ ବାସ୍ତବରେ ଜହ୍ନର ପ୍ରକୃତ ରଙ୍ଗ ବଦଳେ ନାହିଁ । ବାୟୁମଣ୍ଡଳରେ ଧୂଳି, ଧୂଆଁ କିମ୍ବା ବାଷ୍ପ ଆଦି ଭର୍ତ୍ତି ହୋଇଗଲେ କଦବା କୋଚିତ୍ ଜହ୍ନର ରଙ୍ଗ ନୀଳ ଦେଖାଯାଇଥାଏ, କିନ୍ତୁ ବାସ୍ତବରେ ଜହ୍ନର ରଙ୍ଗ ବଦଳି ନଥାଏ ।
ଏହି ବ୍ଲୁ ମୁନ୍ ସାଧାରଣତଃ 2ରୁ ଅଢେଇ ବର୍ଷ ବ୍ୟବଧାନରେ ପଡିଥାଏ । ଗୋଟିଏ ପୂର୍ଣ୍ଣମୀର 29ଦିନ ପରେ ଆଉ ଏକ ପୂର୍ଣ୍ଣମୀ ପଡିଥାଏ । କିନ୍ତୁ ଇଂରାଜୀର କେତୋଟି ମାସ, 30 ଓ 31ଦିନ ହୋଇଥିବାରୁ ଗୋଟିଏ ମାସରେ ହିଁ 2ଟି ପୂର୍ଣ୍ଣମୀ ପଡିଥାଏ । ତେବେ 2ଟି ପୂର୍ଣ୍ଣମୀ ପଡୁଥିବା ମାସର ଦ୍ବିତୀୟ ପୂର୍ଣ୍ଣମୀକୁ ବ୍ଲୁ ମୁନ୍ ବା ନୀଳ ଜହ୍ନ କୁହାଯାଏ ।
ଚଳିତ ବର୍ଷ ଅକ୍ଟୋବର ମାସରେ 2ଟି ପୂର୍ଣ୍ଣମୀ ପଡୁଛି । ପ୍ରଥମ ପୂର୍ଣ୍ଣମୀଟି 1ତାରିଖରେ ପଡିଥିବା ବେଳେ ଦ୍ବିତୀୟ ପୂର୍ଣ୍ଣମୀଟି 31ତାରିଖରେ ପଡୁଛି । ଏହା ପୂର୍ବରୁ 2018ମସିହା ଜାନୁୟାରୀ 31 ତାରିଖରେ 'ବ୍ଲୁ ମୁନ୍' ବା 'ନୀଳ ଜହ୍ନ' ପଡିଥିଲା । ଆସନ୍ତା 2023 ମସିହା ଅଗଷ୍ଟ 31ରେ ଆଉ ଏକ ନୀଳ ଜହ୍ନ ପଡିବ । ଓଡିଶା ଆକାଶରେ ନୀଳ ଜହ୍ନ ଦେଖାଯିବା କଥା କିଛି ନୂଆ ନୁହେଁ । ତେବେ ସାଧାରଣତଃ ପୂର୍ଣ୍ଣିମା ତିଥିରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥାଏ ବୋଲି ପଠାଣିସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ