ଭୁବନେଶ୍ବର: ରାଜ୍ୟ ପାଇଁ ବେଶ ଉତ୍ସାହଜନକ ଘଟଣା । ଓଡ଼ିଶା ଜଙ୍ଗଲରେ ବୁଲୁଛି ବିରଳ ପ୍ରଜାତିର କଳା ବାଘ । କ୍ୟାମେରା ଲେନ୍ସରେ କଏଦ୍ ହେଲା କଳା ରଙ୍ଗର କଲରା ପତରିଆ ବାଘ । କେନ୍ଦ୍ରୀୟ ଓଡ଼ିଶା ଜଙ୍ଗଲରେ ଠାବ ହୋଇଛି ଏହି ବିରଳ କଳା ବାଘ । ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସୁଶାନ୍ତ ନନ୍ଦ । କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଏହି ବିରଳ ବାଘ ଦେଖାଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ତେବେ ଓଡ଼ିଶା ଜଙ୍ଗଲରେ କଳା ବାଘ ଠାବ ହେବାକୁ ସେ ଆଶାତୀତ ଏବଂ ଉତ୍ସହଜନକ ବୋଲି କହିଛନ୍ତି ।
ବାଘର ବିଭିନ୍ନ ପ୍ରଜାତି ମଧ୍ୟରେ କଳା ବାଘ ବିରଳ ପ୍ରଜାତିର । ପୂର୍ବରୁ ଶିମିଳିପାଳରେ ଏକ କଳା ମହାବଳ ବାଘ ଠାବ ହୋଇଥିଲା । ଅଭୟାରଣ୍ୟରେ ଏକ ବିରଳ ପ୍ରଜାତିର କଳା ମହାବଳ ଘୂରି ବୁଲୁଥିବା ନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହାକୁ ମଧ୍ୟ ଟ୍ବିଟ୍ କରିଥିଲେ ପିସିସିଏଫ୍ ସୁଶାନ୍ତ ନନ୍ଦ । କଳା ବାଘର ଭାଇରାଲ ଭିଡିଓଟି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ହୋଇଥିବା ସେ ସ୍ପଷ୍ଟ କରିଥିଲେ । ତେବେ ଏହା କେବେର ଭିଡିଓ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଭିଡିଓଟି ଗତ ଡିସେମ୍ବର ୨୦୨୧ର ଭିଡିଓ ବୋଲି ରିଜୋନାଲ ଚିଫ୍ କଞ୍ଜୋରଭେଟର୍ (RCCF) ସୂଚନା ଦେଇଥିଲେ । ତେବେ ଏହି Melanistic Tigerଟି ବିରଳ ହୋଇଥିବାବେଳେ ଏହା କେବଳ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ହିଁ ଦେଖା ଯାଉଥିବା କୁହାଯାଇଥିଲା । ଏହା ପୂର୍ବରୁ ୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟିଗୋଚର ହୋଇଥିଲା ବିରଳ କଳା ବାଘ । ହେଲେ ଏବେ କେନ୍ଦ୍ରୀୟ ଓଡ଼ିଶା ଜଙ୍ଗଲରେ ଦେଖାଯାଇଥିବା ବିରଳ ପ୍ରଜାତିର କଳା ବାଘଟି ମହାବଳ ନୁହେଁ, ବରଂ କଲରାପତରିଆ ବୋଲି ଜଣାପଡ଼ିଛି । ଏହାପରେ ଜଙ୍ଗଲ ଓ ପରିବେଶ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।