ଖୋର୍ଦ୍ଧା:ସମ୍ମାନଜନକ ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନ କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହେବା ପରେ ଗୁରୁବାର ଓଡିଶା ଫେରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହି ସମୟରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଖୋର୍ଦ୍ଧାରେ ଦଳୀୟ କର୍ମୀ ବିରୋଧ କରିଛନ୍ତି । ଗୁରୁବାର ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ପରାଜିତାଙ୍କୁ ତୀବ୍ର ନିନ୍ଦା କରାଯାଇଛି । ଦଳୀୟ କର୍ମୀଙ୍କୁ ହତାଦର ଓ ଦଳ କିପରି ତୃଣମୂଳ ସ୍ତରରୁ ମଜଭୁତ ହେବ ସେକଥା ଚିନ୍ତା କରୁନଥିବା ଅଭିଯୋଗ ଆଣି ବିଜେପି କର୍ମୀ ସାଂସଦ ଅପରାଜିତାଙ୍କ ବିରୋଧରେ ବୈଠକ କରିଥିଲେ ।
ସାଂସଦଙ୍କ ଏକଚାଟିଆ ମନବୃତ୍ତି ଓ ଦଳୀୟକର୍ମୀଙ୍କୁ ଅଣଦେଖା ଅଭିଯୋଗ କରି ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ଗଂପୁର ଠାରେ ୨୨ନଂ ଜୋନରେ ଅନୁଷ୍ଠିତ ବିଜେପି ବୈଠକରେ ସାଂସଦଙ୍କୁ ବିରୋଧ କରାଯାଇଛି । ଏଥିରେ ୬ଟି ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କ ସମେତ ପଞ୍ଚାୟତର କର୍ମକର୍ତ୍ତା ଯୋଗ ଦେଇଥିଲେ । ଯେ ପର୍ଯ୍ୟନ୍ତ ଅପରାଜିତାଙ୍କ ବିରୁଦ୍ଧରେ ଦଳୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି, ସେ ପର୍ଯ୍ୟନ୍ତ ଏହିପରି ମେଳି, ବୈଠକ ଚାଲିବ ବୋଲି କହିଛନ୍ତି ବିଜେପି କର୍ମୀ । ଗୁରୁବାର ତୃଣମୂଳ ସ୍ଥରର କର୍ମୀମାନେ ଅପରାଜିତାଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଥିଲେ । ବେଗୁନିଆ ବୋଲଗଡ଼ ବିଜେପି ପ୍ରଭାରୀ ସୁବାସ ଚନ୍ଦ୍ର ମିଶ୍ର, ବିଜେପି କର୍ମୀ ଦୟାନିଧି ସେଠୀ, ଜଙ୍ଗେଶ୍ଵର୍ ସୁନ୍ଦରାୟ, ଅଜିତ୍ କୁମାର ପଟ୍ଟନାୟକ, ସଞ୍ଜୟ ଛୁଆଲ୍ସିଂ, ପ୍ରମଖୁ ଯୋଗ ଦେଇ ବିଜେପିରୁ ଅପରାଜିତାଙ୍କୁ ହଟାଇବାକୁ ଦୃଢ଼ ଦାବି କରିଥିଲେ ।