ଖୋର୍ଦ୍ଧା: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିଜ ଦଳ ଭିତରୁ ବିରୋଧ । ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଏହିଭଳି ସ୍ଥିତି ଉପୁଜିଛି । ବୋଲଗଡର ବିଜେପି ଦଳୀୟ କର୍ମକର୍ତ୍ତା ଏକତ୍ରୀତ ହୋଇ ଅପରାଜିତାଙ୍କ ବିରୁଦ୍ଧରେ ଯୁଦ୍ଧଂଦେହି ଡାକରା (BJP Workers Oppose MP Aparajita Sarangi in Bolagarh) ଦେଇଛନ୍ତି । ସାଂସଦଙ୍କ ଏକଚାଟିଆ ମନବୃତ୍ତି ଓ ଦଳୀୟକର୍ମୀଙ୍କୁ ଅଣଦେଖା ଅଭିଯୋଗ କରି ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର କାର୍ଯ୍ୟାଳୟଠାରେ ଆୟୋଜିତ ବୈଠକରେ ସାଂସଦଙ୍କୁ ବିରୋଧ କରାଯାଇଛି ।
ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar MP Aparajita Sarangi) ଦଳୀୟ କର୍ମୀଙ୍କୁ ହତାଦର କରି ଅନ୍ୟ ରାଜନୈତିକ ଦଳର କର୍ମୀଙ୍କୁ ଧରି ବିବାଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ସେହିଭଳି ଅପରାଜିତା ଦଳ ଭିତରେ ରହି ଅପରାଜିତା, ୟୁଥ ଫର ଆକ୍ସନ ଭଳି ସଂଗଠନ ଗଢ଼ି ଦଳ ବିରୋଧରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଦଳ କିପରି ତୃଣମୂଳ ସ୍ତରରୁ ମଜଭୁତ ହେବ ସେକଥା ଚିନ୍ତା କରୁନଥିବା ମଣ୍ଡଳ ସଭାପତି ମାନେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ସେହିଭଳି ଦଳୀୟ କର୍ମୀଙ୍କୁ ଅଣଦେଖା କରି ଚର୍ଚ୍ଚାରେ ରହିବାକୁ ସାଂସଦ କାଦୁଅ ବିଲରେ ପଶି ଧାନ ରୋଇବା କେବଳ ବାହାନା ବୋଲି କହିଛନ୍ତି ଦଳୀୟ କର୍ମକର୍ତ୍ତା ।
ଏନେଇ ବିଜେପି ପାଞ୍ଚଗଡ଼ ମଣ୍ଡଳ ସଭାପତି କହିଛନ୍ତି, "ବିଜେପି ଏକ ଶୃଙ୍ଖଳିତ ଦଳ । ଏହାର ଏକ ସାଙ୍ଗଠନିକ ଭିତ୍ତିଭୂମି ଅଛି । ବିଗତ କିଛି ଦିନ ହେବ କେତେକ ଲୋକ ଦଳକୁ ତଳିତଳାନ୍ତ କରିବାକୁ ଚାହୁଁଛନ୍ତି । ଯାହା ଫଳରେ ବୋଲଗଡ ପଞ୍ଚାୟତ ନିର୍ବାଚନରେ ବହୁ ସଂଖ୍ୟାରେ ଭୋଟ କମିଯାଇଛି । ସାଂସଦ ଅପରାଜିତା ମହାନ୍ତି ଲୋକ ଦେଖାଣିଆ କାମ କରୁଛନ୍ତି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସେ ସାଙ୍ଗରେ ଚାଲନ୍ତୁ । ସେ ଯେତେ ଚେଷ୍ଟା କଲେ ଏଠାରେ ବିଜେପିକୁ ଭାଙ୍ଗି ପାରିବେ ନାହିଁ ।"