ଭୁବନେଶ୍ବର:ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ତେଜୁଛି ବିବାଦ । ବିଜେପି ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଗଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । ରାଜ୍ୟରେ ଖୋଦ ସରକାରଙ୍କ ମନ୍ତ୍ରୀ ବି ସୁରକ୍ଷିତ ନାହାନ୍ତି । ରାଜ୍ୟ ସରକାରଙ୍କ ଗୃହ ବିଭାଗର ଜଣେ କର୍ମୀ ଆସି ମନ୍ତ୍ରୀଙ୍କ ହତ୍ୟା କରୁଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହାକୁ ସୁଧାରିବା ଲାଗି ବିଜେପି ରାଜରାସ୍ତାକୁ ଓହ୍ଲାଇବ । ଯେଉଁ ସରକାର ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି, ସେମିତି ସରକାର ଓଡ଼ିଶାବାସୀଙ୍କୁ ଆବଶ୍ୟକ ନାହିଁ । ଏହି ଦାବିରେ ଖୁବଶୀଘ୍ର ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
ଏ ନେଇ ପୃଥ୍ବୀରାଜ କହିଛନ୍ତି, "ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଓଡି଼ଶାରେ ଆଇନଶୃଙ୍ଖଳା ଏତେ ବିପର୍ଯ୍ୟସ୍ତ ହୋଇଛି ଯେ ଜଣେ ମନ୍ତ୍ରୀ ବି ସୁରକ୍ଷିତ ନୁହନ୍ତି । ଜଣେ ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ କର୍ମଚାରୀ ହତ୍ୟା କରୁଛନ୍ତି । ବିଗତ କିଛି ଦିନ ଧରି ରାଜ୍ୟରେ ଯେଉଁ ଘଟଣା ସବୁ ସାମ୍ନାକୁ ଆସୁଛି, ରାଜ୍ୟରେ ଶାସନ ବ୍ୟବସ୍ଥା ତଥା ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନାହିଁ ତାହା ବାରି ହୋଇପଡୁଛି । ଶାସନ ଗାଦିରେ ଯିଏ ଅଛନ୍ତି, ସେ ତାର ନୈତିକ ଦାୟିତ୍ବ ନେବାର ଆବଶ୍ୟକତା ଅଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବା ପାଇଁ ଭାରତୀୟ ଜନତା ପାର୍ଟି ଯୋଜନା ଆରମ୍ଭ କରିଛି । ସେଥିପାଇଁ ଆନ୍ଦୋଳନକୁ ବ୍ୟାପକ କରିବା ସହ ଜନସଚେତନତା କରିବ ବିଜେପି ।"
ଏହା ବି ପଢନ୍ତୁ-ନବ ଦାସ ହତ୍ୟାକାଣ୍ଡ: ସରକାରଙ୍କ ମୁଣ୍ଡରୁ ଦୋଷ ତୁଟାଇ ଦେବାକୁ ପ୍ରୟାସ ହେଉଛି କହିଲେ ଜୟଦେବ