ଭୁବନେଶ୍ୱର: ଚାଷୀ ଓ ଚାଷ ପ୍ରସଙ୍ଗକୁ ନେଇ ବିଧାନସଭା ବାହାରେ ଜାରି ରହିଛି ବିଜେପିର ଧାରଣା । ଦଳ ଆଜି ଧାରଣା ସ୍ଥଳରେ ପ୍ରେସମିଟ କରି ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଚାଷୀ ଆନ୍ଦୋଳନକୁ ବିଜେପି ଆସନ୍ତାକାଲି ଠାରୁ ଆହୁରି ତୀବ୍ରତର କରିବ । ଜିଲ୍ଲା, ବ୍ଲକ, ପଞ୍ଚାୟତ ଓ ତହସିଲସ୍ତରରେ ସତ୍ୟାଗ୍ରହ କରିବ ଦଳ । ପର୍ଯ୍ୟାୟ କ୍ରମେ ସବୁ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଏବଂ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି । ଯେ ପର୍ଯ୍ୟନ୍ତ ସରକାର ସମାଧାନ କରିନାହାଁନ୍ତି । ସେ ପର୍ଯ୍ୟନ୍ତ ରାଜ୍ୟ ସାରା ଆନ୍ଦୋଳନ ଜାରି ରଖିବ ବିଜେପି । ଏନେଇ ଦଳ ପକ୍ଷରୁ ଆଜି ଘୋଷଣା କରାଯାଇଛି ।
ଚାଷୀ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବିଜେପି: ମୋହନ ମାଝୀ ବିଧାନସଭା ବାହାରେ 15 ଦିନ ଧାରଣାରେ ବସିବା ପରେ ସରକାର ଆଲୋଚନା ପାଇଁ ଆସିଲେ ନାହିଁ । ତେଣୁ ବିଜେପି ବାଧ୍ୟ ହୋଇ ଗତକାଲି ବିଧାନସଭା ଘେରାଉ କରିଥିଲା । ହେଲେ ଗତକାଲି ବିଧାନସଭା ମଧ୍ୟ ବନ୍ଦ ହୋଇଗଲା । ଇନପୁଟ ସବସିଡି, ଫସଲ ବୀମା, ମଣ୍ଡି ଅବ୍ୟବସ୍ଥା ଆଦି ଚାଷୀଙ୍କ ସମସ୍ୟାର ସମାଧାନ କରୁନାହାଁନ୍ତି ରାଜ୍ୟ ସରକାର । ତେଣୁ ଧାରଣା ରାଜଧାନୀରୁ ସ୍ଥାନାନ୍ତର ହୋଇ ଜିଲ୍ଲା ବ୍ଲକସ୍ତରକୁ ଯିବ ବୋଲି କହିଛି ଦଳ ।
ଆଜି ଧାରଣ ସ୍ଥଳରେ ବିଜେପି ବିଧାୟକ ମୋହନ ମାଝୀ ପ୍ରେସମିଟ କରି କହିଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହୋଇଗଲା ବିଧାନସଭା ଶୀତ କାଳୀନ ଅଧିବେଶନ । ରାଜ୍ୟ ସରକାର ଜାଣିଶୁଣି ବନ୍ଦ କଲେ । ସରକାର ପଳାୟନ ପନ୍ଥୀ ହୋଇ ବିଧାନସଭାକୁ ବନ୍ଦ କରିଦେଲେ । ସରକାର କେମିତି ଆଗୁଆ ଗୃହକୁ ବନ୍ଦ କରିଦେଲେ ? ଆଗାମୀ ଦିନରେ ଏ କଥାକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ। ଦ୍ବିତୀୟ ଦିନରେ ବିଜେପି ଚାଷୀ ସମସ୍ୟା ପ୍ରସଙ୍ଗ ଉଠାଇଥିଲା । ବ୍ୟୟ ମଞ୍ଜୁରୀ ବିଲ ପାସ ହେଲା ବେଳେ ଅର୍ଥ ମନ୍ତ୍ରୀ ନଥିଲେ । ମୋହନ ଆହୁରି କହିଛନ୍ତି ଅନ୍ୟ ବିଭାଗୀୟ ମନ୍ତ୍ରୀ ମାନେ ବିଧାନସଭାରେ ଉପସ୍ଥିତ ନ ରହିବା ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ବିଧାନସଭାରେ ନରହି ପ୍ରଚାରକୁ ଯିବା ଦୁର୍ଭାଗ୍ୟଜନକ ବୋଲି ମୋହନ କହିଛନ୍ତି । ପଦ୍ମପୁରରେ ଚାଷୀ ମାନେ ଧାରଣାରେ ବସିଥିଲେ । ବିଧାନସଭା ସମ୍ମୁଖରେ ମଧ୍ୟ ବିଜେପି ସତ୍ୟାଗ୍ରହରେ 16 ଦିନ ହେଲା ବସିଛି । ବିଧାନସଭାକୁ ନ ଚାଲିବା ପାଇଁ ଶାସକ ଦଳ ଚକ୍ରାନ୍ତ କରିଥିଲା । ଆଶା, ଅଙ୍ଗନବାଡ଼ି, ଶିକ୍ଷକ ଆଦି ଅନେକ ସଙ୍ଗଠନ ଆନ୍ଦୋଳନ କରୁଥିଲେ । କୃଷି ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଗୃହକୁ ଆସି ଉତ୍ତର ଦେଲେନାହିଁ ସେ ଅଭିଯୋଗ କରିଛନ୍ତି
ଇଟିଭି ଭାରତ, ଭୁବନେଶ୍ବର