ଓଡିଶା

odisha

ETV Bharat / state

ଦୁର୍ଗନ୍ଧରେ ଫାଟିପଡୁଛି ରାଜଧାନୀ; ଗାଡକଣ ଡମ୍ପିଂୟାର୍ଡ ଯାଇ ସ୍ଥିତି ନିରୀକ୍ଷଣ କଲା ବିଜେପି - ଭୁବନେଶ୍ବର ଡମ୍ପିଂୟାର୍ଡ ସମସ୍ୟା

ଦୁର୍ଗନ୍ଧମୟ ପରିବେଶରେ ଅସ୍ତବ୍ୟସ୍ତ ରାଜଧାନୀବାସୀ । ଗାଡକଣ ଡମ୍ପିଂୟାର୍ଡ ଯାଇ ସ୍ଥିତି ନିରୀକ୍ଷଣ କଲା ବିଜେପି । ଅଧିକ ପଢନ୍ତୁ

ଗାଡକଣ ଡମ୍ପିଂୟାର୍ଡ ଯାଇ ସ୍ଥିତି ନିରୀକ୍ଷଣ କଲା ବିଜେପି
ଗାଡକଣ ଡମ୍ପିଂୟାର୍ଡ ଯାଇ ସ୍ଥିତି ନିରୀକ୍ଷଣ କଲା ବିଜେପି

By ETV Bharat Odisha Team

Published : Nov 4, 2023, 10:27 PM IST

ଦୁର୍ଗନ୍ଧରେ ଫାଟିପଡୁଛି ରାଜଧାନୀ


ଭୁବନେଶ୍ବର:ଡମ୍ପିଂୟାର୍ଡ ଦୁର୍ଗନ୍ଧରେ ଫାଟି ପଡୁଛି ରାଜଧାନୀ । ଗାଡକଣ ସ୍ଥିତ ଅସ୍ଥାୟୀ ଡମ୍ପିଂ ୟାର୍ଡ’ ସ୍ଥାୟୀ ଡମ୍ପିଂ ୟାର୍ଡ’ରେ ପରିଣତ ହୋଇ ଆବର୍ଜନାର ପାହାଡ ପାଲଟିଛି । ଦୁର୍ଗନ୍ଧମୟ ପରିବେଶ ଆଖପାଖର ବାସିନ୍ଦାଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଏହାରି ମଧ୍ୟରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଗାଡକଣ ଡମ୍ପିଂୟାର୍ଡକୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କରିଛି । ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିବା ପରେ ଏହି ଡମ୍ପିଂୟାର୍ଡ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଭୁବନେଶ୍ୱରର ଲୋକେ ଭୋଟ ଓ ଟିକସ ଦେଇ ଚର୍ମରୋଗ, ଶ୍ୱାସରୋଗ ଓ କ୍ୟାନସର ଭଳି ମାରାତ୍ମକ ରୋଗକୁ ଉପାହାରରେ ପାଉଛନ୍ତି ବୋଲି ବିଜେପି କହିଛି । ଏଥିସହ ସମସ୍ୟାର ସମାଧାନ ଦାବିରେ ଆଜି ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଛି ।

ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସହରାଞ୍ଚଳରେ ପୌରନିଗମ ଆଜି ସଠିକ ଭାବେ କାର୍ଯ୍ୟ କରୁନାହିଁ । ରାଜଧାନୀ ତଥା ସ୍ମାର୍ଟସିଟି ଭୁବନେଶ୍ୱରବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡିଛି । ରାଜଧାନୀର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଗାଡକଣ ଡମ୍ପିଂୟାର୍ଡ କୃତ୍ରିମ ପାହାଡର ଭ୍ରମ ସୃଷ୍ଟି କରିଛି । ଅଳିଆ ଆବର୍ଜନାପୂର୍ଣ୍ଣ ଏହି କୃତ୍ରିମ ପାହାଡରୁ ନିର୍ଗତ ଅସହ୍ୟ ଦୁର୍ଗନ୍ଧ କାରଣରୁ ସ୍ଥାନୀୟ ଗାଡକଣ, ରଙ୍ଗମାଟିଆ, ଡମଣା, ମଞ୍ଚେଶ୍ବର ବାସିନ୍ଦାଙ୍କ ଜୀବନ ଅତିଷ୍ଠ ହୋଇପଡିଛି ।

ଏହାମଧ୍ୟ ପଢନ୍ତୁ: ମହଙ୍ଗା ପଡିଲା ବୋତଲ ଓ ଢେଲା ମାଡ, ଭୁବନେଶ୍ୱରରୁ ୫୪ ମହିଳା ଗିରଫ

ଏହି ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ, ଉତ୍କଳ ବିଶ୍ୱବିଦ୍ୟାଳୟ, ଇଷ୍ଟକୋଷ୍ଟ ରେଲୱେ ଅଫିସ, ମେଡିକାଲ, ସରକାରୀ ଓ ଘରୋଇ କଲୋନୀ, ଅପୋଲ ହସ୍ପିଟାଲ ରହିଛି । ଏହି ଅସ୍ବାସ୍ଥ୍ୟକର ପରିବେଶରେ ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଅସୁସ୍ଥ ହୋଇପଡୁଛନ୍ତି । ଗନ୍ଧମୟ ପରିବେଶ ଯୋଗୁଁ ଭକ୍ତମାନେ ସେଠାରେ ଥିବା ସର୍ବେଶ୍ବର ମହାଦେବ ମନ୍ଦିର, ଦାସରାଜ ମନ୍ଦିରକୁ ଆସୁନଥିବାରୁ ଏହା ବନ୍ଦ ରହିଛି । ଅସୁସ୍ଥ ପରିବେଶ, ବାୟୁ ପ୍ରଦୂଷଣ ଓ ଅସହ୍ୟ ଦୁର୍ଗନ୍ଧ କାରଣରୁ ସ୍ଥାନୀୟ ଅଞ୍ଚଳବାସୀ ଘରର କବାଟ ବନ୍ଦ କରି ରହିବା ସହିତ ମୁହଁରେ ମାସ୍କ ପିନ୍ଧୁଛନ୍ତି । ଏପରିକି ସେହି ଅଞ୍ଚଳରେ ଚର୍ମରୋଗ, ଶ୍ୱାସରୋଗ ଓ କ୍ୟାନସର ଭଳି ମାରାତ୍ମକ ରୋଗ ମଧ୍ୟ ବ୍ୟାପିବାରେ ଲାଗିଛି । ସ୍ଥାନୀୟ ବାସିନ୍ଦାଙ୍କ ସମେତ ବିଜେପି ପକ୍ଷରୁ ଏହାର ପ୍ରତିକାର ପାଇଁ ବାରମ୍ବାର ଦାବି କରାଯାଉଥିବା ସତ୍ତ୍ବେ ବିଏମସି ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ସମସ୍ୟାର ସମାଧାନ ନିମନ୍ତେ ଆଦୌ ଚିନ୍ତା ନାହିଁ ।

ଶୁକ୍ରବାର ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଗାଡକଣ ଡମ୍ପିଂୟାର୍ଡକୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି । ସେଠାରେ ଉପସ୍ଥିତ ଥିବା ବିଏମସି ଡେପୁଟି କମିଶନର ଗତକାଲି କାର୍ଯ୍ୟରେ ଯୋଗ ଦେଇଛି ଓ କିଛି ଜାଣିନଥିବା କହି ହାତ ଟେକି ଦେଇଥିଲେ । ସର୍ବସାଧାରଣରେ ସ୍ବଚ୍ଛତା ରକ୍ଷା ପାଇଁ ସାଧାରଣଜନତାଙ୍କଠାରୁ ଟିକସ ନେଉଛନ୍ତି ପ୍ରଶାସନ ଓ ରାଜ୍ୟ ସରକାର । ଟିକସ ନେଇ ନିଜ ଦାୟିତ୍ୱ ଭୁଲି ଯାଉଛି ବିଏମସି । ବିଏମସି ମେୟର ଦେଖା ଦେଉନାହାନ୍ତି, ଅଫିସର କିଛି ଜାଣିନାହାନ୍ତି ବୋଲି କହୁଛନ୍ତି । ତା'ହେଲେ ସାଧାରଣ ଲୋକେ ଗୁହାରି କାହାକୁ କରିବେ ? ଦାୟିତ୍ୱହୀନ ଅଧିକାରୀମାନଙ୍କୁ ବିଏମ୍‌ସି ଦାୟିତ୍ୱ ଦେଇଛି ।

ଅତୀତରେ ତତ୍କାଳୀନ ବିଏମସି କମିଶନର ଏହି ସମସ୍ୟାର ସମାଧାନ କରାଯିବ ବୋଲି ଘୋଷଣା କରିଥିଲେ । ତାଙ୍କର ବଦଳି ହୋଇଗଲା କିନ୍ତୁ ସମସ୍ୟାର ସମାଧାନ କରିପାରିଲେ ନାହିଁ । ଆଗାମୀ ୭ ମାସ ଭିତରେ ସମସ୍ୟାର ସମାଧାନ ହୋଇଯିବ ବୋଲି କହୁଥିବା ବର୍ତ୍ତମାନର ବିଏମସି କମିଶନର ସେ ପର୍ଯ୍ୟନ୍ତ ନିଜ ପଦବୀରେ ଥିବେ ନା ନାହିଁ ବୋଲି ବିଜେପି ମୁଖପାତ୍ର ସନ୍ଦେହ ପ୍ରକାଶ କରିଛନ୍ତି ।



ସେ ଆହୁରି କହିଛନ୍ତି ଯେ, ସେହି ସ୍ଥାନକୁ ନଗଲେ ବାସ୍ତବ ସ୍ଥିତି ଜାଣିବା ଅସମ୍ଭବ । ନବୀନ ନିବାସରୁ ବାହାରକୁ ଆସୁନଥିବା ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ କଷ୍ଟ ବୁଝିବେ କିପରି ? ମୁଖ୍ୟମନ୍ତ୍ରୀ, ବିଏମସି ମେୟର, କମିଶନରଙ୍କ ସହ ସେହି ଅଞ୍ଚଳରେ ଗୋଟିଏ ଦିନ ବିତାଇଲେ ଯାଇ ତାଙ୍କ ଶାସନରେ ଲୋକେ କିଭଳି ରହୁଛନ୍ତି ତାହା ଭଲ ଭାବେ ଜାଣିପାରିବେ । ସ୍ମାର୍ଟସିଟି ଭୁବନେଶ୍ୱରର ସ୍ବଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର, ମେୟର, କମିଶନର, ବିଭାଗୀୟ ଅଧିକାରୀ, ବିଏମସି କର୍ତ୍ତୃପକ୍ଷ ମିଳିତ ଭାବେ ଦାୟିତ୍ୱ ନିଅନ୍ତୁ । ଏଥିସହ ଏଭଳି ଦୂଷିତ ପରିବେଶ ପାଇଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବିଏମସି ଓ ରାଜ୍ୟ ସରକାର ବହନ କରନ୍ତୁ ।


ଏହି ଅବସରରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜେନ୍ଦ୍ର ପଣ୍ଡା, ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ମଣ୍ଡଳ ସଭାପତି ଦାମୋଦର ବେହେରା, ଅଶୋକ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details