ଓଡିଶା

odisha

ETV Bharat / state

ସରକାର ଟାଟା ପାୱାର୍‌ ସହ କଣ ବୁଝାମଣା କରିଥିଲେ, ଶ୍ବେତପତ୍ର ଜାରି କରନ୍ତୁ: ବିଜେପି - ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଲେଖାଶ୍ରୀ

ରାଜ୍ୟରେ ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ବିଜେପିର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ଏହାରି ଭିତରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢ଼ନ୍ତୁ

ବିଦ୍ୟୁତ୍‌ କାଟ୍‌ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି
ବିଦ୍ୟୁତ୍‌ କାଟ୍‌ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

By

Published : Jun 16, 2023, 9:58 PM IST

ଭୁବନେଶ୍ବର: ପାୱାର୍‌ କଟ୍‌କୁ ନେଇ ସମଗ୍ର ରାଜ୍ୟ ହୁଲୁସ୍ତୁଲ । ଲୋକ ଗରମରେ ହନ୍ତସନ୍ତ । ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ୍ ନେଇ ରାଜନୀତି ଜୋର ଧରିଛି । ଏନେଇ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀର ବିଦ୍ୟୁତ କାର୍ଯ୍ୟାଳୟରେ ବିକ୍ଷୋଭ ଡାକରା ଦେଇଛି ବିଜେପି । ଆଜି ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ତେବେ ଏହାରି ଭିତରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ସେ କହିଛନ୍ତି, "ବିଜୁଳି ଏକ ଆବଶ୍ୟକୀୟ ଜିନିଷ । ସ୍ଥାୟୀ ବିକାଶ ଲକ୍ଷ୍ୟକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି, କିନ୍ତୁ ନିରନ୍ତର ବିଦ୍ୟୁତ ଯୋଗାଣରେ ସରକାର ସମ୍ପୂର୍ଣ୍ଣ ଫେଲ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ସଭାରେ ମଧ୍ୟ ପାୱାର୍‌ କଟ୍‌ ହେଲା । ଦେଶରେ ଓଡିଶାବାସୀଙ୍କୁ ଲଜ୍ଜିତ ହେବାକୁ ପଡ଼ିଲା । ଗତକାଲି କଳିଙ୍ଗ ଷ୍ଟାଡିୟମରେ ଫୁଟବଲ ମ୍ୟାଚ୍ ବେଳେ ମଧ୍ୟ ଲାଇନ କଟିଲା । ବାରମ୍ବାର ଲାଇନ୍ କଟିଲା । ଖେଳାଳିମାନେ ଅନ୍ଧାରରେ ରହିଲେ । ଏହା ରାଜ୍ୟବାସୀଙ୍କୁ ଲଜ୍ଜିତ କରିଛି । ଓଡ଼ିଶା ବିଦ୍ୟୁତ୍ ବଳକା ରାଜ୍ୟ ବୋଲି ସରକାର କହୁଛନ୍ତି । କିନ୍ତୁ କୌଣସି ବଳକା ରାଜ୍ୟରେ ଏମିତି ବାରମ୍ବାର ପାୱାର୍‌ କଟ୍‌ ହେଉନଥିବ । ଭୁବନେଶ୍ବରରେ ବି ସମାନ ଅବସ୍ଥା । କିନ୍ତୁ ରାଜ୍ୟ ସରକାର ଟେର ପାଉନାହାନ୍ତି । ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇ ଟାଟା ପାୱାର୍‌ ଉପରେ ଦୋଷ ଦେଉଛନ୍ତି । ଟାଟା କମ୍ପାନୀ ଲାଭ କରିବା ପାଇଁ ଓଡ଼ିଶାରେ ବିଦ୍ୟୁତ ଆବଣ୍ଟନ ଦାୟିତ୍ଵ ନେଇଛି । କିନ୍ତୁ ଓଡ଼ିଶା ସରକାର ଫାଇଦା ନୁହେଁ, ଲୋକଙ୍କ ସୁବିଧା ଦେଖିବାର ଆବଶ୍ୟକତା ଅଛି । କମ୍ ପଇସାରେ ବିଜୁଳି ଯୋଗାଇବା ସରକାରଙ୍କ ଦାୟିତ୍ଵ ।"

ଏହି ପ୍ରେସ୍‌ମିଟ୍‌ରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରିଛି ବିଜେପି । ଲେଖାଶ୍ରୀ ପଚାରିଛନ୍ତି, "ରାଜ୍ୟ ସରକାର ଶ୍ବେତପତ୍ର ଜାରି କରି କୁହନ୍ତୁ ଆବଣ୍ଟନ ଦାୟିତ୍ଵ ଦେବା ବେଳେ ଟାଟା ପାୱାର୍‌ ସହ କଣ ବୁଝାମଣା କରିଥିଲେ । ସରକାର ବିଦ୍ୟୁତ ବିତରଣ ୧୦୦ ପ୍ରତିଶତ ଟାଟା ପାୱାର୍‌ ଉପରେ ଟେକି ଦେଇଛନ୍ତି କି ? ନିଜ ମୁଣ୍ଡରୁ ଦୋଷ ଛଡାଇ ଦେଇ ପ୍ରାଇଭେଟ୍ କମ୍ପାନୀକୁ କାହିଁକି ଦୋଷ ଦେଉଛନ୍ତି ଶାସକ ଦଳର ନେତା । ଟାଟା ପାୱାର୍‌ କିଛି ବି କଲେ ରାଜ୍ୟ ସରକାର ତାଗିଦ୍ କରିପାରିବେ ନାହିଁ, ଏମିତି କିଛି ଚୁକ୍ତି ଥିଲା କି ? ଆମେ ଟାଟା ପାୱାର୍‌କୁ ପ୍ରଶ୍ନ ପଚାରିବୁ ନାହିଁ । ରାଜ୍ୟ ସରକାରଙ୍କୁ ପଚାରିବୁ । ଓଡିଶାବାସୀ ବିଜେଡିକୁ ଶାସନ ଗାଦିରେ ବସାଇଛନ୍ତି, ଟାଟା ପାୱାର୍‌କୁ ନୁହେଁ । ତେଣୁ ଓଡିଶାବାସୀ ବିଜେଡିକୁ ପଚାରିବେ । ବିଜୁ ବାବୁ ବିଜୁଳି ବିଭାଗକୁ ୨୮ ବର୍ଷ ତଳେ ଘରୋଇକରଣ କରାଇଥିଲେ । ଏହି ୨୩ ବର୍ଷ ଭିତରେ ହାଜର ହାଜର କୋଟି ଟଙ୍କା ଆତ୍ମସାତ କରିଛନ୍ତି ରାଜ୍ୟ ସରକାର । ୨୦୨୩ରେ ସବୁଠୁ ଅଧିକ ପାୱାର୍‌ କଟ୍‌ ହୋଇଛି । ଅତୀତରେ ଏମିତି ହେଉନଥିଲା ।"

ସେ ଆହୁରି କହିଛନ୍ତି, "ଭିତ୍ତିଭୂମି ବିକାଶ ପାଇଁ ୨୦ ହାଜର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କେବଳ ଭୁବନେଶ୍ଵରରେ ଅଣ୍ଡରଗ୍ରାଉଣ୍ଡ କେବୁଲିଂ ପାଇଁ ୨୨୦୦ କୋଟି ଖର୍ଚ୍ଚ କରିଛନ୍ତି ସରକାର । OERC କହିଥିଲେ ଅତିରିକ୍ତ ବିଲ୍ ବାବଦରେ କମ୍ପାନୀ ମାନେ ୨୭୨୭ କୋଟି ଟଙ୍କା ଉପଭୋକ୍ତା ମାନଙ୍କୁ ଫେରାଇବେ । ODRAF ଏବଂ NDRF ଫଣ୍ଡରୁ ୧୨୫୦ କୋଟି ଖର୍ଚ୍ଚ ହୋଇଛି । ନୂଆ ମିଟର ବାବଦରେ ୪୦ ହାଜର ୨୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି ୧୦ ବର୍ଷ ଭିତରେ । ତଥାପି ଯଦି ପ୍ରତି ଦିନ ୪୦ ଥର ଲାଇନ୍ କଟିବ, ତାହେଲେ କିଏ ଦାୟୀ ? ବିଜେଡି ମନ୍ତ୍ରୀ, ନେତା ଓ ଅଫିସର, ତୃତୀୟ ମହଲା ମିଳିମିଶି ଲୁଟ କରିଛନ୍ତି । ଏହି ୪୦ ହାଜର କୋଟି ପାଇଁ ଶ୍ବେତପତ୍ର ଦିଅନ୍ତୁ । ପ୍ରତାପ ଦେବ କିଛିଦିନ ତଳେ କହିଲେ, ଓଡ଼ିଶାରେ ବିଦ୍ୟୁତ ଦର ଜାତୀୟ ହାରାହାରି ଦର ଠାରୁ କମ୍ । ଜାତୀୟ ହାରାହାରି ଦର ୭ ଟଙ୍କା ୭ ପଇସା । ଆମେ ୫ ଟଙ୍କା ୬୦ ପଇସାରେ ଦେଉଛୁ ବୋଲି ପ୍ରତାପ ଦେବ କହିଲେ । ପ୍ରତାପ ଦେବ ଜଣେ ମିଛୁଆ । ଓଡ଼ିଶା ସରକାର ମଧ୍ୟ ମିଛ କହୁଛନ୍ତି । ଟାଟା ପାୱାର୍‌ ଉପରେ ଦୋଷ ଲଦିବା ଓ ଅସନ୍ତୋଷ ପ୍ରଶମନ କରିବା ପାଇଁ ଚେଷ୍ଟା କରୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details