ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ସତ୍ୟାଗ୍ରହ ସ୍ଥଳରୁ ଟାର୍ଗେଟ କଲା ବିଜେପି । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ମାରଣ ନୀତି ବିରୋଧରେ ବିଜେପିର ସତ୍ୟାଗ୍ରହ ପଞ୍ଚମ ଦିନରେ ପହଞ୍ଚିଛି । ଏହାକୁ ନେଇ ମଙ୍ଗଳବାର ସତ୍ୟାଗ୍ରହ ସ୍ଥଳରୁ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି ।
ରାଜ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ଛିଡୁନି ଅଙ୍କ ! ସତ୍ୟାଗ୍ରହ ସ୍ଥଳରୁ ବିଜେପିର ଟାର୍ଗେଟ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପ ସଭାପତି ଭୃଗୁ ବକ୍ସି ପାତ୍ର କହିଛନ୍ତି, "ରାଜ୍ୟ ସରକାର ଘୋଷଣା କରିଥିଲେ ଚଳିତ ମାସ 2 ତାରିଖ ରୁ ଧାନ କିଣା ଆରମ୍ଭ ହେଲା । 20 ଦିନ ବିଳମ୍ବରେ ଧାନ କିଣିଲେ ରାଜ୍ୟ ସରକାର । କିନ୍ତୁ ବରଗଡ଼ ଜିଲ୍ଲାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଧାନ କିଣା ଆରମ୍ଭ ହୋଇଛି । ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ସେଠାକାର ଜିଲ୍ଲା ପ୍ରଶାସନ ତିନି ତିନି ଥର ତାରିଖ ପରିବର୍ତ୍ତନ କରି ଧାନ ସଂଗ୍ରହ କରିଛି । ରାଜ୍ୟ ସରକାରଙ୍କ 4ଟି ବିଭାଗର ତିନି ମନ୍ତ୍ରୀ ଧାନ ସଂଗ୍ରହ କାର୍ଯ୍ୟକୁ ତଦାରଖ କରୁନାହାନ୍ତି ବରଂ ସେମାନେ ନିର୍ବାଚନ ପ୍ରଚାରରେ ମାତିଛନ୍ତି । ଯେଉଁଠି ନିର୍ବାଚନ ହେଉଛି ସେଠି କେବଳ ଧାନ ଉଠିଲା ଅନ୍ୟ କେଉଁ ସ୍ଥାନରେ ଧାନ ଉଠିଲା ନାହିଁ କାହିଁକି ?"
ବିଜେପି ଅଭିଯୋଗ କରିଛି ଯେ, ମିଲରମାନଙ୍କ ସହିତ ରାଜ୍ୟ ସରକାରଙ୍କ ବେପାର ଛିଡୁ ନାହିଁ । ତେଣୁ ରାଜ୍ୟ ସରକାର ଚାଷୀଙ୍କ ଧାନ ଉଠାଉ ନାହାନ୍ତି । ପଦ୍ମପୁର କୁ ନିର୍ବାଚନ କୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଭୋଟ ବିକଳରେ 200 କୋଟିର ଇନପୁଟ ସବସିଡି ଘୋଷଣା କରିଛନ୍ତି । ମୂଳରୁ ମରୁଡି ଘୋଷଣା ହୋଇନି କିନ୍ତୁ ସେପଟେ ଇନପୁଟ ସବସିଡ଼ି ଦିଆଯାଉଛି । ବିଜେପି ଦାବି କରୁଛି କେଉଁ ଅଞ୍ଚଳର କେଉଁ ଚାଷୀ ଏହି ଟଙ୍କା ପାଇବେ ତାହାର ତଥ୍ୟ ସାର୍ବଜନୀନ କରାଯାଉ ବୋଲି ଦାବି କରିଛି ବିଜେପି ।
ବରଗଡ଼ର ସୋହେଲାରେ ମୁଖ୍ୟମନ୍ତ୍ରୀ 100 ଟଙ୍କାର ବୋନସ୍ ଦେବାକୁ ଘୋଷଣା କରିଥିଲେ । କିନ୍ତୁ 2022 ହେଲା ତାହା ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ । ତେଣୁ ବିଜେପି ଦାବି କରୁଛି ସରକାର ତୁରନ୍ତ ଏହି ଟଙ୍କା ଚାଷୀଙ୍କ ଖାତାକୁ ପଠାଇବାର ବ୍ୟବସ୍ଥା କରନ୍ତୁ । ରାଜ୍ୟ ସରକାର ବାଛିଥିବା ଯେଉଁ ବୀମା କମ୍ପାନୀ ଚାଷୀଙ୍କ ଟଙ୍କା ଅଟକେଇଛି ତାକୁ ବନ୍ଧା ଯାଉ ବୋଲି କହିଛି ବିଜେପି । ଚାଷୀ ସମ୍ପର୍କିତ ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରିଛି ବିଜେପି ।
ଇଟିଭି ଭାରତ, ଭୁବନେଶ୍ବର