ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY)କୁ ପୁଣିଥରେ ଆରମ୍ଭ କରିବା ପାଇଁ ଦାବି କରି ଆଜି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ହଠାତ ବନ୍ଦ ହୋଇଯିବା ଫଳରେ ବିଶେଷ ଭାବରେ ଗରିବ ଓ କୃଷକ ପ୍ରଭାବିତ ହେବେ ବୋଲି ଅଭିଯୋଗ କରିଛି ବିଜେଡି । ତେବେ ଏହାର ଜବାବ ରଖିଛି ବିଜେପି । ଯଦି ରାଜ୍ୟ ସରକାରଙ୍କ ରାଜ୍ୟବାସୀଙ୍କ ପାଇଁ ଏତେ ଦରଦ ତେବେ ଆଉ ମାଗଣାରେ ୫ କେଜି ଚାଉଳ ରାଜ୍ୟ ସରକାର ଦିଅନ୍ତୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି । ଏଥିରେ ଗରିବ ଲୋକଙ୍କୁ ପାଇଁ ୫ କେଜି ଚାଉଳ ବ୍ୟତୀତ ଅତିରିକ୍ତ ଭାବେ ଆଉ ୫ କେଜି ମାଗଣା ଚାଉଳ ଯୋଗାଇ ଦିଆଯାଉଥିଲା । ଏହାଦ୍ବାରା ଗରିବ ଏବଂ କୃଷକ ପରିବାରଙ୍କ ଖାଦ୍ୟ ସୁରକ୍ଷା ପ୍ରଭାବିତ ହେବ ବୋଲି ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀ କରିଥିଲା ବିଜେଡି । ରାଜ୍ୟ ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଦାବି କରିଥିଲେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମୁଖପାତ୍ର ଲେନିନ ମହାନ୍ତି ଏବଂ ହରିଶ ଚୌଧୁରୀ ।