ଭୁବନେଶ୍ବର: ବିଜେପିର ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ ଉଦ୍ଦେଶ୍ୟମୂଳକ ଭାବେ ଭଣ୍ଡୁର କରାଯାଉଛି ବୋଲି ଅଭିଯୋଗ କରିଛି ବିଜେପି । କଟକ ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ପଞ୍ଚାୟତରେ ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତସିଂହାର । ଶାସନ ଓ ପ୍ରଶାସନ, ଆଇନକୁ ଫୁ କରି ଜୋର ଜବରଦସ୍ତି ରାଜନୈତିକ ବିରୋଧୀଙ୍କୁ ଦମନ କରିବାକୁ ବିଜେଡି ଅପଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି । ଯଦି ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତେବେ ଆଗାମୀ ଦିନରେ ବିଜେପି କଟକ ଏସ୍ପି ଅଫିସକୁ ଘେରାଉ କରିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ଲେଖାଶ୍ରୀ ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସ୍ମିଟ୍ରେ ଲେଖାଶ୍ରୀ କହିଛନ୍ତି, "ଚଳିତ ମାସ ୧୦ ଡିସେମ୍ବରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର କିଶନନଗର ଥାନା ଅନ୍ତର୍ଗତ ମାଣପୁର ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଗାଡି ଥିଲା । ଏହି ଗାଡିରେ ମୋଦିଜୀଙ୍କ ଯୋଜନା ଦେଖାଇବା ପରିବର୍ତ୍ତେ ବିଜେଡିର କିଛି ମହିଳା, ଛୋଟ ପିଲା ଗାଡିରେ ଚଢ଼ି ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତରେ ଉଦଣ୍ଡ ନାଚ କରିଛନ୍ତି । ସେଠାକାର ପବିତ୍ର ବାତାବରଣ କ୍ଷୁର୍ଣ୍ଣ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିଛନ୍ତି । ଏହି ଘଟଣାକୁ ନେଇ ୧୨ ଡିସେମ୍ବର ଦିନ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନେତୃତ୍ବରେ କିଶନନଗର ଥାନା ଅନ୍ତର୍ଗତ ମାଣପୁର ପଞ୍ଚାୟତ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ପୋଲିସକୁ ଆଗୁଆ ସୂଚନା ଦିଆଗଲା । ବିକ୍ଷୋଭ ପୂର୍ବରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ । ଜଣେ ପୋଲିସ ଅଧିକାରୀ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ସହ ଉପସ୍ଥିତ ଥିଲେ ।"
ହେଲେ ମାଣପୁର ପଞ୍ଚାୟତ ପହଞ୍ଚିଲା ପରେ ସେଠାରେ ପୋଲିସ ବ୍ୟତୀତ ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ମହମ୍ମଦ ରୁସ୍ତମ ଏବଂ ଅନେକ ମହିଳା ଓ ଯୁବକ ଲାଠି, ସିମେଣ୍ଟ, କଡ଼େଇ, ଝାଡୁ ଓ ଚପଲ ଧରି ଉପସ୍ଥିତ ଥିଲେ । ବିଜେଡି କର୍ମୀ ମାରଣାସ୍ତ୍ରରେ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରି ଆକ୍ରମଣ କଲେ ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ଜାତିଆଣ ମନ୍ତବ୍ୟ ଦେଇ ବିଜେଡି କର୍ମୀମାନେ ଗାଳିଗୁଲଜ ମଧ୍ୟ କରିଥିବା ସେ କହିଛନ୍ତି । ବିଜେଡିର କାର୍ଯ୍ୟକର୍ତ୍ତାମାନେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ନିସ୍ତୁକ ମାଡ଼ ମାରୁଥିବାବେଳେ ପୋଲିସ ନିରବଦ୍ରଷ୍ଟା ସାଜି ଠିଆ ହୋଇଥିଲା । ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ନିର୍ଦ୍ଦେଶରେ ଆମେ ଏଭଳି କାର୍ଯ୍ୟ କରୁଛୁ, ପୋଲିସ ଆମର କିଛି କରିପାରିବ ନାହିଁ ବୋଲି ମହମ୍ମହ ରୁସ୍ତମ ଓ ବିଜେଡିର ଅନ୍ୟମାନେ କହିଥିଲେ । ପୋଲିସ ଉପସ୍ଥିତିରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଏଭଳି ବର୍ବରକାଣ୍ଡ ଓ ଆତଙ୍କରାଜ ଚାଲିଥିଲା ବୋଲି ଲେଖାଶ୍ରୀ ସଙ୍ଗୀନ ଅଭିଯୋଗ କରିଛନ୍ତି ।