ଭୁବନେଶ୍ବର: ଅଘୋଷିତ ବିଜୁଳି କାଟକୁ ନେଇ ପୁଣି ସରକାର ଓ ମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି। ବିଜେପି ଅଭିଯୋଗ କରିଛି ଗତକାଲି କ୍ୟାବିନେଟ ନିଷ୍ପତି ସରକାରଙ୍କ ମିଛ ଧରାଇ ଦେଇଛି। ମଧ୍ୟପ୍ରଦେଶ ଠାରୁ ବିଜୁଳି ଆଣିବେ ଅର୍ଥାତ ସରକାରଙ୍କ ପାଖେ ଆବଶ୍ୟକତା ଅନୁଯାୟୀ ବିଜୁଳି ନାହିଁ। ହେଲେ ମନ୍ତ୍ରୀ କହୁଥିଲେ ପର୍ଯ୍ୟାପ୍ତ ବିଜୁଳି ଅଛି ରାଜ୍ୟରେ।
ଦଳୀୟ କାର୍ଯ୍ୟାଳୟରେ ଆଯୋଜିତ ପ୍ରେସମିଟରେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ବିଜୁଳି କ୍ଷେତ୍ରରେ ଉତ୍ତରଦାୟିତ୍ଵ ପୂରଣ କରିପାରି ନାହାଁନ୍ତି ସରକାର। ବିଜୁଳି ଭିତ୍ତିଭୂମିରେ ହୋଇଥିବା 11000 କୋଟି ଟଙ୍କାର ଦୁର୍ନୀତି ସିବିଆଇ ତଦନ୍ତ ହେଉ। ଏହା ସହ 22-23 ରେ ଗ୍ରୀଡକୋ ବଳକା ବିଜୁଳି 7 ଟଙ୍କା 50 ପଇସାରେ କିଣୁଥିବା ବେଳେ 4 ଟଙ୍କା 95 ପଇସାରେ ବିକିଛନ୍ତି। ତେଣୁ ଏହି ମହାଦୁର୍ନୀତିର ମଧ୍ୟ ତଦନ୍ତ ଦାବି କଲା ବିଜେପି। ଏହା ସହ ସେବା ନାଁରେ ଟାଟା କଂପାନୀ ଶୋଷଣ କରିଥିବାରୁ ତା ସହ ଏଗ୍ରୀମେଣ୍ଟ ବାତିଲ କରନ୍ତୁ ସରକାର ବୋଲି ଦଳ ଦାବି କରିଛି। ଟାଟା ବିରୋଧରେ ମାମଲା ମଧ୍ୟ ରୁଜୁ କରିବାକୁ ଦାବି କଲା ବିଜେପି।