ଭୁବନେଶ୍ବର: ବିଜେପିର ମିଶନ ୨୦୨୪ । ଗୁରୁମନ୍ତ୍ର ନେଇ ଦିଲ୍ଲୀରୁ ଫେରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତିନି ଦିନିଆ ଦିଲ୍ଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ଓ ଆନ୍ୟାନ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା ସାରି ଓଡ଼ିଶା ଫେରିଛନ୍ତି ବିଜେପି ରାଜ୍ୟ ସଭାପତି । ତେବେ ଦିଲ୍ଲୀରୁ ଫେରିବା ପରେ କହିଛନ୍ତି, 51 ପ୍ରତିଶତରୁ ଅଧିକ ଭୋଟ ପାଇଁ ଆମେ ଲଢ଼େଇ କରିବୁ । ରାଜ୍ୟର ଜନତା ପରିବର୍ତ୍ତନ ଚାହୁଁଛନ୍ତି । ଆମେ ପରିବର୍ତ୍ତନ ଆଣିବୁ । ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ସହ ଭେଟିଛି । ଏହା ସହିତ ଓଡିଶାକୁ ଅମିତ ଶାହ ଆସିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି । ପ୍ରଧାନମନ୍ତ୍ରୀ ବି ଓଡ଼ିଶା ଆସିବେ ସେ ବିଷୟରେ ବି ଆଲୋଚନା ହୋଇଛି । କର୍ଣ୍ଣାଟକରେ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ ବୋଲି ସେ କହିଛନ୍ତି ।
ଓଡିଶା ଫେରିବା ପରେ ରାଜ୍ୟ ବିଜେପି ସଭାପତି କହିଛନ୍ତି, "ସରକାର କରିବା ପାଇଁ ସହଯୋଗ ଦେବେ ବୋଲି କେନ୍ଦ୍ରୀୟ ନେତା ମାନେ କହିଛନ୍ତି । ତାଙ୍କ ପାଖରେ ଓଡିଶାର ସ୍ଥିତି ବିଷୟରେ ତଥ୍ୟ ଅଛି । ଓଡିଶା ଲୋକ ସରକାର ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଦିଲ୍ଲୀ ନେତା ଜାଣିଛନ୍ତି । ନେତାମାନେ ଖୋଲା ହୃଦୟରେ ସହାୟତା କରିବେ ବୋଲି କେନ୍ଦ୍ରୀୟ ନେତା ପ୍ରତିଶୃତି ଦେଇଛନ୍ତି । ଦିଲ୍ଲୀ ଗସ୍ତ ସଫଳ ହୋଇଛି । ଓଡିଶା ପାଇଁ କେନ୍ଦ୍ର ନେତୃତ୍ୱ ସିରିୟସ୍ ଅଛନ୍ତି । କର୍ଣ୍ଣାଟକ ନିର୍ବାଚନରେ ବ୍ୟସ୍ତତା କାରଣରୁ ଜେପି ନଡ୍ଡାଙ୍କ ସହ ଭେଟ ହୋଇନାହିଁ ।"