ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ପ୍ରମୁଖ ରାଜନୈତିକ ଦଳ । ବିଜେଡି ବିଭିନ୍ନ ପଞ୍ଚାୟତ ତଥା ୱାର୍ଡରେ ଦଳର ବରିଷ୍ଠ ନେତା ଓ ବିଧାୟକ ମାନଙ୍କୁ ଜଗାଇବା ପରେ କଂଗ୍ରେସ ଓ ବିଜେପି ଏନେଇ ପ୍ରସ୍ତୁତ ହେଉଛନ୍ତି । ତେବେ ଉପନିର୍ବାଚନ ସୁପରିଚାଳନା ଓ ସୁପ୍ରଚାର ପାଇଁ ରବିବାର ଦୁଇଟି କମିଟି ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସାଂସଦ ଜୁଏଲ ଓରାମ ଏବଂ ସୁରେଶ ପୂଜାରୀଙ୍କୁ ମିଳିଛି ଗୁରୁ ଦାୟିତ୍ବ । ଉଭୟ ସାଂସଦଙ୍କ ଅଧ୍ଯକ୍ଷତାରେ ଦୁଇଟି ନିର୍ବାଚନ ପରିଚାଳନା କମିଟି ଘୋଷଣା କରି ଦଳକୁ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଦେଇଛନ୍ତି ଗୁରୁମନ୍ତ୍ର ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଠନ କରିଥିବା ଏହି ଦୁଇ କମିଟି ମଧ୍ୟରୁ ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ୮ ଜଣ ସଦସ୍ୟ ରହିଛନ୍ତି । ସେହିଭଳି ବରଗଡ଼ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ ୧୪ ଜଣ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି ରାଜ୍ୟ ସଭାପତି । ବିଜେପି ପ୍ରାର୍ଥୀ ଭାବେ ଯୁବନେତା ତଥା ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ । ଏନେଇ ନିର୍ବାଚନର ସୁପରିଚାଳନା ଓ ସୁପ୍ରଚାର ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଦୁଇ କମିଟିର ନାମ ଘୋଷଣା କରିଛନ୍ତି । ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ ଏବଂ ଗୋଲକ ପ୍ରସାଦ ମହାପାତ୍ର ସଦସ୍ୟ ରହିଛନ୍ତି ।