ଭୁବନେଶ୍ବର: ବିଜେଡି ଶାସନରେ ମହିଳାଙ୍କୁ ଅସମ୍ମାନ ପ୍ରସଙ୍ଗକୁ ନେଇ ବର୍ଷିଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ଧୃତରାଷ୍ଟର ସହ ତୁଳନା କଲେ ବିଜେପି ମୁଖପାତ୍ର ସୋନାଲି ସାହୁ । କହିଲେ ମୁଖ୍ୟମନ୍ତ୍ରୀ ତୁରନ୍ତ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
ସୋନାଲି ସାହୁ କହିଛନ୍ତି କେନ୍ଦ୍ରରେ ମୋଦି ସରକାର ମହିଳା ମାନଙ୍କୁ ସୁରକ୍ଷା, ଅଧିକାର, ସମ୍ମାନ, ସ୍ଵାଭିମାନ ଏବଂ ସଶକ୍ତିକରଣ ପାଇଁ ନିରନ୍ତର କାମ କରୁଛନ୍ତି । କିନ୍ତୁ ଓଡିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ଦାସଙ୍କ କାରନାମା ସମସ୍ତଙ୍କୁ ଚମକାଇ ଦେଇଛି । ସମୀର ଦାସ ଧର୍ମେନ୍ଦ୍ର ସାହୁ ହତ୍ୟାରେ ସଂପୃକ୍ତ ଥିବା କଥା ସାମ୍ନାକୁ ଆସିବା ପରେ ଧର୍ମେନ୍ଦ୍ର ସାହୁଙ୍କ ସ୍ତ୍ରୀ ମଧ୍ୟ ଅଭିଯୋଗ କରିଥିଲେ । ସେତେବେଳେ ସରକାର ସମୀର ଦାସଙ୍କ ଉପରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଯାହାଫଳରେ ଏବେ ପୁଣି ଜଣେ ଭଦ୍ର ମହିଳାଙ୍କୁ କୁହାଯାଉଛି ଯେ ମାଇଣ୍ଡଫ୍ରେସ କରିବା ପାଇଁ ଭୁବନେଶ୍ଵର ଆସ । ଏହା ସମ୍ପୂର୍ଣ୍ଣ ଓଡିଶା ପାଇଁ ନିନ୍ଦନୀୟ କଥା । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ସବୁବେଳେ କୁହନ୍ତି, ମହିଳାଙ୍କ ମାନଙ୍କ ବିରୋଧରେ କୌଣସି ପ୍ରକାର ହିଂସା ଉପରେ ଜିରୋ ଟଲରାନ୍ସ ନୀତି ଆପଣେଇଛୁ । କିନ୍ତୁ ସେମିତି କିଛି ଆକ୍ସନ ନେଲା ଭଳି ଦେଖାଯାଉନାହିଁ । ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ପାଲଟିଛନ୍ତି ।