ଭୁବନେଶ୍ବର:ସଂସଦରେ ଦିଲ୍ଲୀ ଅଧ୍ୟାଦେଶ ଏବଂ ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ବିଜେଡି ଏନଡିଏକୁ ଖୋଲା ସମର୍ଥନ ଦେବା ପରେ ରାଜ୍ୟରେ ବିଜେପିର ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି । ସହଭାଗିତା ରାଜନୀତିରେ ବିଜେପିର କ୍ଷତି ହେଉନାହିଁ ତ ? ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି ସଂଖ୍ୟା ଗଣିତ କହୁଛି ସହଭାଗିତା ରାଜନୀତିରେ ରାଜ୍ୟରେ ବିଜେପିର କ୍ଷତି ହେଉଛି । ଡିମନିଟାଇଜେସନଠାରୁ ଆରମ୍ଭ କରି ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ବିଜେଡିଠାରୁ ସମର୍ଥନ ପାଇଥିଲା ଏନ୍ଡିଏ । କିନ୍ତୁ ରାଜ୍ୟରେ ବିଜେପି କଣ ଲାଭ ପାଇଲା ତାହା ବଡ ପ୍ରଶ୍ନ ।
ସହଭାଗିତା ରାଜନୀତି ରାଜ୍ୟରେ ବିଜେପିକୁ କରିବ ଦୁର୍ବଳ? ଏପରି ଜବାବ ରଖିଲା ବିଜେପି
ସଂସଦରେ ଦିଲ୍ଲୀ ଅଧ୍ୟାଦେଶ ଏବଂ ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ବିଜେଡି ଏନଡିଏକୁ ଖୋଲା ସମର୍ଥନ ଦେବା ପରେ ରାଜ୍ୟରେ ବିଜେପିର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ । ଅଧିକ ପଢ଼ନ୍ତୁ
2017 ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିର ବିଜୟୀ ଆସନ ସଂଖ୍ୟା ଥିଲା 297 । କିନ୍ତୁ 2022 ଜିଲ୍ଲା ପରିଷଦ ନିର୍ବାଚନ ବେଳକୁ ଏହା 42କୁ ଖସି ଆସିଲା । 297 ଜିଲ୍ଲା ପରିଷଦ ଜିତିବା ପରେ 2019 ବିଧାନସଭା ନିର୍ବାଚନରେ ଦଳ 23ଟି ଆସନରେ ଜିତିଥିଲା । ଏବେ 2022ରେ ମାତ୍ର 42ଟି ଜିଲ୍ଲା ପରିଷଦ ଜିତିଥିବାରୁ ଅନୁମାନ କରାଯାଇପାରେ ଆଗାମୀ ବିଧାନସଭା ନିର୍ବାଚନରେ ଦଳ କେତୋଟି ଆସନ ହାତେଇବ । ଅନ୍ୟପଟେ ବିଜେପି ଏହାର ଜବାବ ରଖିଛି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ସହଭାଗିତା ରାଜନୀତିରେ ଦେଶର ହିତ ପାଇଁ ଯାହା ଆବଶ୍ୟକତା ରହିଛି । ସେଥିରେ ସମର୍ଥନ ଦେବାରେ ଅସୁବିଧା କଣ ରହିଲା । ଗଣତନ୍ତ୍ରର ବିଧିବ୍ୟବସ୍ଥା ଭିତରେ ସମ୍ବିଧାନର ନିୟମକୁ ମାନି ଦଳମାନେ ସମର୍ଥନ ଦେଉଛନ୍ତି । କିନ୍ତୁ 2024 ନିର୍ବାଚନରେ ବିଜେପି ରାଜ୍ୟରେ ଏକାକି ନିର୍ବାଚନ ଲଢିବ । ବିଜେଡି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର, ତୁଷ୍ଟୀକରଣ ରାଜନୀତିକୁ ନେଇ ଲୋକଙ୍କ ପାଖକୁ ଯିବ । କ୍ରାନ୍ତି ଦିବସଠାରୁ ଏହି ପ୍ରକ୍ରିୟା ବ୍ଲକ ସ୍ତରରେ ଆରମ୍ଭ ହୋଇଗଲାଣି । କାହା ସହିତ ନୁହେଁ ଏକାକୀ ନିର୍ବାଚନ ଲଢିବ ବିଜେପି । ସହଭାଗିତା ରାଜନୀତିରେ ରାଜ୍ୟରେ ଦୁର୍ବଳ ହୋଇନାହିଁ ବିଜେପି । ଏହା ଏକ ସାମ୍ବିଧାନିକ ପ୍ରକ୍ରିୟା ।" ତେବେ ଜିଲ୍ଲୀ ପରିଷଦ ନିର୍ବାଚନରେ ସଂଖ୍ୟା କମିବା ପାଇଁ ସଂଗଠନ ସଜାଡିବାରେ ତ୍ରୁଟି ରହିଥିବା କଥାକୁ ବିଜେପି ସ୍ବୀକାର କରିଛି ।
ଏହା ମଧ୍ୟ ପଢ଼ନ୍ତୁ:ମୋଦି ସରକାରଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ ବିଜେପି ମଣିପୁରରେ ଭାରତର ହତ୍ୟା କରିଛି
ଗୋଟିଏ ପଟେ ରାଜ୍ୟରେ 2 ନମ୍ବର ବିରୋଧି ଦଳ ବିଜେପି । କିନ୍ତୁ କେନ୍ଦ୍ରରେ ସରକାରରେ ଥିବା ଏହି ଦଳକୁ ବିଜେଡି ଅକୁଣ୍ଠ ସମର୍ଥନ ଦେଇ ଆସୁଛି । ଯାହାକି ରାଜ୍ୟରେ ନେତା ଓ କର୍ମୀଙ୍କ ମନରେ ଥିବା ଉତ୍ସାହକୁ ଏହା ଭାଙ୍ଗି ଦେଉଛି । କିନ୍ତୁ ବିଜେପି ନେତାମାନେ କହୁଛନ୍ତି ସେମାନେ ବିଜେଡି ବିରୋଧରେ ଲଢ଼ିବେ । ଦୁର୍ନୀତି ଭ୍ରଷ୍ଟାଚାରରେ ଲିପ୍ତ ସରକାର ବିରୋଧରେ ଲଢେଇ କରିବେ । ଦେଖିବାର କଥା ରାଜ୍ୟ ବିଜେପିର ଏହି ଆଭିମୁଖ୍ୟକୁ କେନ୍ଦ୍ର ନେତୃବୃନ୍ଦ କେତେଦୂର ସମର୍ଥନ କରୁଛନ୍ତି । କାରଣ ନିକଟରେ ଅମିତ ଶାହା ଓଡ଼ିଶା ଗସ୍ତ କରି ନବୀନ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ନବୀନ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଥିଲେ । ତେଣୁ ସହଭାଗିତାର ରାଜନୀତିରେ ବିଜେପି କେତେଦୂର ଫାଇଟ ଦେଇପାରୁଛି ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ଭୁବନେଶ୍ବର