ଭୁବନେଶ୍ୱର:ରାଜ୍ୟରେ ଧାନ ମଣ୍ଡିର ଅବ୍ୟବସ୍ଥାକୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ବିଜୁ ଜନତା ଦଳ ଚାଷୀମାନଙ୍କର ବଳ ବୋଲି ଯେଉଁ ନାରା ଦେଉଛି ତାହା ବଳ ନୁହେଁ ଚାଷୀମାନଙ୍କର କାଳ । ଓଡ଼ିଶାର ଚାଷୀମାନେ ବୋଧହୁଏ ଚାଷ କରି ବଡ଼ ଭୁଲ କରୁଛନ୍ତି । ସବୁ ବର୍ଷ ଅମଳ ସମୟରେ ଚାଷୀମାନେ ସମାନ ଅଭିଯୋଗ କରୁଛନ୍ତି ।
ବିଜେପି ନେତା କହିଛନ୍ତି, ''ଓଡ଼ିଶାର ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଚାଲିଛି । ବିଭାଗୀୟ ମନ୍ତ୍ରୀଙ୍କ ଯଦି ସତ୍ ସାହାସ ଅଛି ଥରେ ମଣ୍ଡି ବୁଲି ଦେଖନ୍ତୁ । ପଚାରି ବୁଝନ୍ତୁ ମଣ୍ଡି ବ୍ୟବସ୍ଥା କିପରି ଚାଲିଛି । ତାହାର ଉତ୍ତର ଚାଷୀମାନଙ୍କଠୁ ପାଇଯିବେ । ମନ୍ତ୍ରୀ ଯାହା କହୁଛନ୍ତି ରାଜ୍ୟପାଳଙ୍କୁ ଭେଟନ୍ତୁ ଓ ଦିଲ୍ଲୀ ଯାଆନ୍ତୁ । ରାଜ୍ୟପାଳ ଦିଲ୍ଲୀ ଯିବା ଭିନ୍ନ ପ୍ରସଙ୍ଗ । ଏଠି ଚାଷୀ ଶୋଷଣ ହେଉଛି ପ୍ରତି ୭୫ କେଜିରେ ୨ କେଜି କଟନୀ ଛଟନୀ କରୁଛି ମିଲର । ୬୦ କୋଟି ମେଟ୍ରିକ୍ ଟନରେ ପାଖାପାଖି ଚାରି ଶହ କୋଟି ଟଙ୍କା ଚାଷୀର ଲୁଟ ହେଉଛି । କେନ୍ଦ୍ର ସରକାର ସବୁର ଟଙ୍କା ଦେଉଛନ୍ତି ଚାଷୀ ତାହା ପାଇପାରୁନି ଏବଂ ଅଭାବୀ ବିକ୍ରିର ଶିକାର ହେଉଛି । ଏଥିରେ ବିଜେପି ଚୁପ ବସିବ ନାହିଁ । ମନ୍ତ୍ରୀ ଶୁଣିବେ କି ନାହିଁ, ସରକାର ବୁଝିବେ କି ନାହିଁ ତାଙ୍କ କଥା ସେ ବୁଝିବେ । କିନ୍ତୁ ଚାଷୀର ସମସ୍ୟାକୁ ବିଜେପି କେବେ ସହିବ ନାହିଁ । ବିଜେପି ସବୁବେଳେ ଚାଷୀମାନଙ୍କ ସେବାରେ ଓ ସାଥିରେ ଅଛି । "
କେଉଁଠି ଚାଷୀଙ୍କ ବସ୍ତା ବସ୍ତା ଧାନ ମଣ୍ଡିରେ ପଡି ରହିଛି ତ ପୁଣି କେଉଁଠି କଟନୀ ଛଟନୀକୁ ନେଇ ମିଲର ଚାଷୀ ମୁହାଁମୁହିଁ ହୋଇଥିବା ଖବର ଆସୁଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି ବିରୋଧୀ । ସେପଟେ ମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ ଚାଷୀ ଖୁସି ଅଛନ୍ତି । କେଉଁ ଜିଲ୍ଲାରୁ ଅଭିଯୋଗ ଆସୁନାହିଁ । ଆସିଲେ ତୁରନ୍ତ ପଦକ୍ଷେପ ନିଆଯିବ । ବିରୋଧୀଙ୍କ କାମ ବିରୋଧ କରିବେ ।