ଭୁବନେଶ୍ବର:ଓଡ଼ିଆ ବିଶ୍ଵ ବିଦ୍ୟାଳୟ ନିର୍ମାଣରେ ବିଳମ୍ବକୁ ନେଇ ବର୍ଷିଲା ବିଜେପି। ଏନେଇ ବିଜେପି ମୁଖପାତ୍ର ରମା ରଞ୍ଜନ ବଳିଆରସିଂ ପ୍ରେସମିଟ୍ କରିଛନ୍ତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, " ବିଶ୍ୱ ବିଦ୍ୟାଳୟର ପରିକଳ୍ପନା କେବଳ ପରିକଳ୍ପନା ଭିତରେ ସୀମିତ । ବିଶ୍ଵବିଦ୍ୟାଳୟ ଘୋଷଣା ଏକ ଲଲିପପ୍ । ରାଜ୍ୟକୁ ଅଣ ଓଡିଆ ଅଫିସରମାନେ ଶାସନ କରୁଥିବାରୁ ଓଡ଼ିଆ ବିଶ୍ୱ ବିଦ୍ୟାଳୟ କାମ ଆଗକୁ ଆଗେଇ ପାରୁନି । ବିଶ୍ୱବିଦ୍ୟାଳୟ ପାଇଁ ମାତ୍ର ୧୧ ଏକର ଜମି ଦେଇଛନ୍ତି ରାଜ୍ୟ ସରକାର । ବିଶ୍ୱ ବିଦ୍ୟାଳୟର ହେଡ୍ କ୍ୱାଟର ଭୁବନେଶ୍ୱର ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯାହା କି ଦୁର୍ଭାଗ୍ୟଜନକ ।"
ସେ ଆହୁରି ମଧ୍ୟ କହିଛନ୍ତି, "ୟୁଜିସି ଓ ନାକ୍ ନିୟମ ଅନୁଯାୟୀ ଅତି କମରେ 5ଟି ବିଷୟରେ ପାଠପଢା ଆରମ୍ଭ ହେବା କଥା କିନ୍ତୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଚଳିତ ବର୍ଷ ଓଡ଼ିଆ ବିଶ୍ୱ ବିଦ୍ୟାଳୟରେ 3ଟି ବିଷୟ ବସ୍ତୁରେ ପାଠପଢା ହେବ । ଅନ୍ୟ ବ୍ୟବସ୍ଥା ବି ବର୍ତ୍ତମାନ ସୁଦ୍ଧା ହୋଇପାରିନାହିଁ । ବିଜେପିର ଦାବି ଓଡ଼ିଆ ବିଶ୍ଵ ବିଦ୍ୟାଳୟ ବାସ୍ତବ ବାଦୀ ହେଉ। କେବଳ ପରିକଳ୍ପନା ଭିତରେ ରହି ନଯାଉ । ସର୍ବନିମ୍ନ ଆବଶ୍ୟକ ଅନୁଯାୟୀ ଭିତ୍ତିଭୂମି ଓ ଜମି ଯୋଗାଇ ଦିଅନ୍ତୁ ସରକାର।"
"ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଠକିବା ସହ ଓଡ଼ିଆ ବିଶ୍ୱବିଦ୍ୟାଳୟ ନାଁରେ ଛାତ୍ରଛାତ୍ରୀଙ୍କୁ ପ୍ରତାରିତ କରୁଛନ୍ତି । ରାଜ୍ୟ ସରକାର ଓଡ଼ିଶାରେ ସମସ୍ତ ସରକାରୀ ନଥିପତ୍ର ଓ ନାମଫଳକ ଓଡ଼ିଆରେ ହେବ ବୋଲି ଘୋଷଣା କରିଥିଲେ କିନ୍ତୁ ଏଯାଏଁ ତାହା ହୋଇପାରିଲା ନାହିଁ । ଓଡ଼ିଶାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯିବା ସ୍ୱାଗତ ଯୋଗ୍ୟ, କିନ୍ତୁ ଅଣଓଡ଼ିଆଙ୍କ ଦ୍ୱାରା ଶାସିତ ହେଉଥିବା ଓଡ଼ିଶାରେ ଓଡ଼ିଆ ଭାଷା, ସାହିତ୍ୟକୁ ଅବହେଳା ଦୁର୍ଭାଗ୍ୟଜନକ" ପ୍ରେସମିଟରେ କହିଛି ବିଜେପି।