ଓଡିଶା

odisha

ETV Bharat / state

G-୨୦ ସମ୍ମିଳନୀ ପରେ ନବୀନଙ୍କୁ ବିଜେପିର ଟାର୍ଗେଟ, କଂଗ୍ରେସ କହିଲା ଉଭୟ ଭାଇଭାଇ

G-୨୦ ସମ୍ମିଳନୀକୁ ନେଇ ଓଡିଶାରେ ଆରମ୍ଭ ହୋଇଛି ରାଜନୀତି। ନବୀନଙ୍କୁ ବିଜେପି ଟାର୍ଗେଟ କରିଥିବାବେଳେ ଉଭୟ ଦଳ ଉପରେ ବର୍ଷିଛି କଂଗ୍ରେସ।

G-୨୦ ସମ୍ମିଳନୀ ରାଜନୀତି
G-୨୦ ସମ୍ମିଳନୀ ରାଜନୀତି

By ETV Bharat Odisha Team

Published : Sep 10, 2023, 9:00 PM IST

G-୨୦ ସମ୍ମିଳନୀ ରାଜନୀତି

ଭୁବନେଶ୍ବର: G-୨୦ ସମ୍ମିଳନୀରେ ଭାରତ ପ୍ରଶଂସା ସାଉଣ୍ଟିଛି । ଏହାକୁ ନେଇ ଓଡିଶାରେ ଆରମ୍ଭ ହୋଇଛି G-୨୦ ରାଜନୀତି। ନବୀନଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "ବିଶ୍ୱ ଦରବାରରେ ଭାରତ ଏବେ ବିଶ୍ୱ ଗୁରୁ ସାଜିବାର ଦ୍ୱାର ଦେଶରେ ରହିଛି । ଦିଲ୍ଲୀରେ G-୨୦ ସମ୍ମିଳନୀର ଅନ୍ତିମ ଦିବସରେ ପ୍ରଧାନମନ୍ତ୍ରୀ ଓଡ଼ିଶାର କଳା, ଭାସ୍କର୍ଯ୍ୟର ପରିଚୟ ବିଶ୍ୱ ନେତାଙ୍କୁ ଅବଗତ କରାଇଥିଲେ । କୋଣାର୍କ ଚକ୍ର ବିଷୟରେ ପ୍ରାୟ ସବୁ ରାଷ୍ଟ୍ରମୁଖ୍ୟଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେମାନଙ୍କୁ ଏହି ଐତିହ୍ୟ ସବୁକୁ ବୁଲିବୁଲି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ । ଯାହାକି ଓଡ଼ିଶା ଅସ୍ମିତା ପାଇଁ ଗର୍ବ ଏବଂ ଗୌରବର ବିଷୟ । ତେବେ ଓଡ଼ିଶାର ଗର୍ବ ଆଉ ଗୌରବ ଯେତେବେଳେ ବିଶ୍ୱ ଦରବାରରେ ଝଲସୁଛି, ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ଧନ୍ୟବାଦଟିଏ ଜଣାଇଲେ ନାହିଁ।"


"ନବୀନ ବାବୁ ଧନ୍ୟବାଦ ନେଇ ଜାଣିଛନ୍ତି, କିନ୍ତୁ ଦେଇ ଜାଣନ୍ତି ନାହିଁ । ଜି-୨୦ ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ମୋଦିଜୀ ଅଗ୍ରାଧିକାର ଦେଇଥିଲେ ବି ନବୀନ ବାବୁ ଧନ୍ୟବାଦ ଦେଲେ ନାହିଁ । ଓଡ଼ିଆ ଖାଦ୍ୟପେୟ, ହସ୍ତଶିଳ୍ପ, ତାରକସୀ କାରୁକାର୍ଯ୍ୟ, ପିପିଲି ଚାନ୍ଦୁଆ, ସମ୍ବଲପୁରୀ ଶାଢ଼ୀ ଆଦି ଜି-୨୦ ସମ୍ମିଳନୀରେ ସାମିଲ କରି ଓଡିଶାର ଗୈାରବକୁ ବିଶ୍ୱ ଦରବାରରେ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କଠାରୁ ନିମନ୍ତ୍ରଣ ପାଇ ମୁଖ୍ୟମନ୍ତ୍ରୀ ନଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାର ଦକ୍ଷତା ଓ ଯୋଗ୍ୟତା ନଥାଏ, ତା’ର ଇନ୍‌ଫେରିଅର କମ୍ପ୍ଲେକ୍ସ ଥାଏ । ଏହି ଐତିହାସିକ ଜି-୨୦ ଶିଖର ସମ୍ମିଳନୀରେ ଓଡିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିଛି, ଏହା ଆମ ସମସ୍ତଙ୍କ ପାଇଁ ଗୈାରବର କଥା । ପ୍ରଥମ ଦିନରେ ସମ୍ବଲପୁରୀ ଡାଲଖାଇ ଗୀତରେ ବିଶ୍ୱ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।" ଏପରି କହି ନବୀନଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଏହା ବି ପଢନ୍ତୁ...G-20 ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନଯିବାରୁ ଓଡ଼ିଶାର ସମ୍ମାନ ରହିଗଲା: ଜୟନାରାୟଣ ମିଶ୍ର

ତେବେ ଏହାକୁ ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, "ପ୍ରତ୍ୟେକ ରାଜ୍ୟର କଳା ଭାସ୍କର୍ଯ୍ୟ G-୨୦ ସମ୍ମିଳନୀରେ ସ୍ଥାନ ପାଇବା ଗର୍ବ ଆଉ ଗୌରବର ବିଷୟ । ସଂସଦ ଭବନରେ ମଧ୍ୟ ସେଗୁଡ଼ିକ ସ୍ଥାନ ପାଇଛି।" ଏପରି କହି ଓଡ଼ିଶାର କଳା ସଂସ୍କୃତି ସ୍ଥାନ ପାଇବା ନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅମର । ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଯେତେବେଳେ ଦେଶର କଥା ଉଠୁଛି ସେତେବେଳେ ନବୀନ ଆତିଥ୍ୟତା ଗ୍ରହଣ କରିଥିଲେ ଭଲ ହୋଇଥାନ୍ତା । ବିଜେଡି ବିଜେପି ମିଶିକି ଫ୍ରେଣ୍ଡଲି ମ୍ୟାଚ୍ ଖେଳୁଛନ୍ତି । ଲୋକଙ୍କୁ ବୋକା ବନାଉଛନ୍ତି । ମିଶିକି ଥାଇ ବି କେହି କାହାକୁ ସହି ପାରୁନାହାଁନ୍ତି କି ଶ୍ରେୟ ଦେବାକୁ ଚାହୁଁନାହାନ୍ତି । ବ୍ୟକ୍ତିଗତ ଅସୁବିଧା ନଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ହିସାବରେ ନିମନ୍ତ୍ରଣ ପରେ ମୁଖ୍ୟମନ୍ତ୍ରୀ G-20 ବୈଠକ ରେ ଯୋଗ ଦେବା କଥା।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details